କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମ, ସରଗିଫୁଲ ମହୋତ୍ସବରେ ଯୋଗଦେଲେ
କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମ। ଗସ୍ତର ଦ୍ବିତୀୟ ଦିନରେ ଫିରିଙ୍ଗିଆ ବ୍ଲକ୍ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସରଗିଫୁଲ ମହୋତ୍ସବରେ ଯୋଗ ଦେଇଥିଲେ ସାଂସଦ ଡ. ସାମନ୍ତ।

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଦୁଇ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ଦ୍ଵିତୀୟ ଦିନରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସରଗିଫୁଲ ମହୋତ୍ସବରେ ଯୋଗଦେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଥିବା ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ଲୋକ ଲୋଚନକୁ ଆସିପାରିବ ବୋଲି ସେ କହିଥିଲେ।
ପରେ କନ୍ଧମାଳ ସାଂସଦ ଡ. ସାମନ୍ତ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଚତୁର୍ଥ ଜିଲ୍ଲା ପରିଷଦ ବୈଠକରେ ଯୋଗଦେଇ ଜିଲ୍ଲାର ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସମୀକ୍ଷା କରିଥିଲେ। ଏହା ସହ ଜିଲ୍ଲାରେ ଅଧିକ ଅପଗ୍ରେଡ ହାଇସ୍କୁଲ ଓ +2 କଲେଜ ଖୋଲିବା ଉପରେ ଗୁରୁତ୍ଵ ଦେଇଥିଲେ। ସାଂସଦ ସାମନ୍ତ କନ୍ଧମାଳ ଜିଲ୍ଲାରେ କମ ପିଲା ଯୋଗୁଁ ବନ୍ଦ କରାଯାଇଥିବା ସ୍କୁଲଗୁଡିକର ପିଲାମାନଙ୍କୁ କିପରି ଅନ୍ୟ ସ୍କୁଲରେ ନେଇ ନାମଲେଖାଯିବା ତ ଉପରେ ଗୁରୁତ୍ଵ ଦେଇଥିଲେ।
ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ବିନା ଅନୁମତିରେ ମେଡିକାଲ ଛାଡି ନ ଯିବା ପାଇଁ ସାଂସଦ ଡ ସାମନ୍ତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପରେ ଡ ସାମନ୍ତ କନ୍ଧମାଳ ଜିଲ୍ଲା ପରିଷଦ ପକ୍ଷରୁ ଆୟୋଜିତ ପଞ୍ଚମ ଦିଶା ଅଧିବେଶନରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକରମଣି କହଁର, ଜି ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ବିଜୁଳି କମିଟି ବୈଠକରେ ସାଂସଦ ଡ. ସାମନ୍ତ ଯୋଗ ଦେଇଥିଲେ। ଆସନ୍ତା ଡିସେମ୍ବର ୩୧ ସୁଧା ସମସ୍ତ ଗ୍ରାମକୁ ଯେଭଳି ବିଜୁଳି ସଂଯୋଗ ହୋଇପାରିବ ସେ ନେଇ ସାଂସଦ ପରାମର୍ଶ ଦେଇଥିଲେ।