ସୁବର୍ଣ୍ଣପୁରର ମୁଖ୍ୟ ନିଆଁମଡ଼ା ଯାତ୍ରା, ଯେଉଁଠି ମନସ୍କାମନା ପୂର୍ଣ୍ଣ ପାଇଁ ନିଆଁ ଉପରେ ଚାଲିଥାନ୍ତି ଅନେକ ଶ୍ରଦ୍ଧାଳୁ
ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । ଏଠାରେ ତନ୍ତ୍ର ପଦ୍ଧତିରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।ଏଠାକାର ସ୍ୱତନ୍ତ୍ର ପରାମ୍ପରା ଯାହା ରହିଛି ଅନ୍ୟଠୁ ସବୁଠୁ ଭିନ୍ନ। ନିଆଁମଡ଼ା ପର୍ବ ଏଠାକାର ମୁଖ୍ୟ ପର୍ବ। ଯାହାକି ଚଳିତ କାର୍ତ୍ତିକ ମାସରେ ପାଳନ କରାଯାଏ। ଅଙ୍ଗାରରେ ଚାଲିବା ଦେଖିବାକୁ ମିଳିଥାଏ ସୁବର୍ଣ୍ଣପୁରର ଖଦାଲପଡାର ନିଆଁମଡା ଯାତ୍ରାରେ । ନିଆଁ ଉପରେ ବରୁଆମାନେ ଚାଲିବା ପରେ ଶହଶହ ଶ୍ରଦ୍ଧାଳୁ ନିର୍ଭୟରେ ଚାଲିଥାନ୍ତି ଏହି ନିଆଁ ଉପରେ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ନିଆମଡା ଯାତ୍ରା ଚଳିତ ବର୍ଷ ବଡ ଧୂମଧାମରେ ପାଳନ କରାଯାଇଛି ।
ମାଁ ଠାକୁରାଣୀ । ସୁବର୍ଣ୍ଣପୁର ସହରର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀ । ରାଜା ରାଜୁଡା ଅମଳରୁ ଏହି ଦେବୀ ପୀଠରେ ପାଳିତ ହୋଇଆସୁଛି କଇଁଫୁଲ ବା ନିଆଁମଡା ଯାତ୍ରା । କାର୍ତ୍ତିକ ପ୍ରତିପ୍ରଦା ତିଥିରେ ଆରମ୍ଭ ହୋଇ ତିନିଧରି ଚାଲୁଥିବା ଏହି ଯାତ୍ରାର ମୁଖ୍ଯ ଆକର୍ଷଣ ନିଆଁମଡା । ପୂଜାପାଠ ପରେ ପ୍ରାଚୀନ ଲୋକବାଦ୍ୟ ଧୂନକେଲି ଓ ଢୋଲ ନିଶାନ,ମହୁରି ତାଳେ ତାଳେ ଉଦଣ୍ଡ ନୃତ୍ଯ କରିଥାନ୍ତି ବରୁଆମାନେ । ଠାକୁରାଣୀ ପୀଠରୁ ନାଚି ନାଚି ବରୁଆମାନେ ଆସିଥାନ୍ତି ନିଆଁମଡା ପଡିଆକୁ । ବରୁଆମାନେ ଜ୍ଜଳନ୍ତା ଅଙ୍ଗାର ଉପରେ ଚାଲିବାପରେ ଶ୍ରଦ୍ଧାଳୁ ଏହି ଅଙ୍ଗାର ଉପରେ ଚାଲିବାର ପରମ୍ପରା ରହିଛି । ବରୁଆ ଚାଲୁଥିବା ଏହି ଅଙ୍ଗାର ଉପରେ ଚାଲିଲେ ନିଜର ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହାସହ ରୋଗ ଦଃୁଖରୁ ରକ୍ଷା ପାଇବାର ବିଶ୍ୱାସ ରହିଥିବାରୁ ଏହି ଯାତ୍ରାରେ ଲୋକଙ୍କ ସମାଗମ ହୋଇଥାଏ ।
ତନ୍ତ୍ର ପୀଠ ସୁବର୍ଣ୍ଣପୁରରେ ଐତିହାସିକ ବଳିଯାତ୍ରା ପରେ ପାଳିତ ହୁଏ ଠାକୁରାଣୀଙ୍କ କଇଁଫୁଲ ଯାତ୍ରା ବା ନିଆଁମଡା ଯାତ୍ରା । ମାଁ ଠାକୁରାଣି କଇଁଫୁଲ ରେ ସଜା ଯାଇଥିବା ଦୋଳି ଉପରେ ବସି ନୃତ୍ଯ କରୁଥିବାରୁ ଏହାକୁ କଇଁଫୁଲ ଯାତ୍ରା ବୋଲି ମଧ୍ଯ କୁହାଯାଏ । ବଳିଯାତ୍ରା ପରି ଏହି ନିଆମଡା ଯାତ୍ରାରେ ମଧ୍ଯ ତନ୍ତ୍ରର ପ୍ରୟୋଗ ହେଉଥିବା ଦେଖିବାକୁ ମିଳେ । ଯନ୍ତ୍ର , ମନ୍ତ୍ର ଓ ତନ୍ତ୍ର ପ୍ରୟୋଗ କରି ନିଆଁକୁ ଜଳା ଯାଇଥାଏ। ।ଫଳରେ ନିଆଁ ଉପରେ ଖାଲି ପାଦରେ ଚାଲିଲେ ବି ତାହା ଶୀତଳତା ପ୍ରଦାନ କରିବା ସହ କାହାରି ଅମଙ୍ଗଳ ଘଟେ ନାହିଁ । ଆସ୍ତା ଓ ବିଶ୍ୱାସର ସହିତ ଲୋକେ ଖାଲି ପାଦରେ ନିଆଁ ଅଙ୍ଗାର ଉପରେ ଚାଲିଲେ ମାନସିକ ପୁରଣ ହୋଇଥାଏ ବୋଲି ବିସ୍ୱାସ ରହିଛି । ରାଜା ରାଜୁଡା ଅମଳରୁ ପାଳନ ହେଉଥିବା ଏହି ନିଆଁମଡା ଯାତ୍ରାର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି ବୋଲି ଗବେଷକ କହନ୍ତି ।
ଗଡଯାତ ଶାସନ ଅମଳରୁ ପାରମ୍ପାରିକ ରୀତି ନୀତିରେ ଏହି ନିଆଁମଡା ଯାତ୍ରା ପାଳନ ହୋଇ ଆସୁଥିବା ବେଳେ ନିଆଁ ଉପରେ ଚାଲିବା ଏବଂ ଦୈବି କୃପା ଲାଭ କରିବାର ପରଂମ୍ପରା ଆଜିବି ବେଶ ବିଶ୍ୱାସନୀୟ ହୋଇ ରହିଛି।