ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ, ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ଦ୍ଵାରଫିଟା, ତାପରେ ମଙ୍ଗଳାଆରତୀ, ମଇଲମ, ତଡ଼ପଲାଗି, ଅବକାଶ ପରେ ରାଧା ଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ,ବାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ହେବ । ଦ୍ଵିତୀୟ ଭୋଗମଣ୍ଡପ ପରେ ଦିବା ପହୁଡ଼ ଓ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ନୀତି କରାଯିବ ।

ସେପଟେ ନଭେମ୍ବର ୧୨ ସୋମବାରରେ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ, ନଭେମ୍ବର ୧୯ରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି, ନଭେମ୍ବର ୨୦ରେ ବାଙ୍କଚୂଡ଼ ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି ହେବ । ସେହିପରି ନଭେମ୍ବର ୨୧ରେ ଆଡ଼ିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୨୨ରେ ଡାଳିକିଆ ବା ଲକ୍ଷ୍ମୀ ନୃସିଂହ ବେଶ, ନଭେମ୍ବର ୨୩ରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୮ ପ୍ଲାଟୁନ ପୋଲିସ ଫୋର୍ସ ସହ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପୋଲିସ ମୁତୟନ ରହିବେ । ଛୁଟିଦିନ ଓ ବିଶେଷ ଦିନରେ ଗହଳିକୁ ଦୃଷ୍ଟିରେ ରଖି ଅତିରିକ୍ତ ପୋଲିସ ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.