କୁଚିଣ୍ଡା: ଲୁଟ୍ ହେଉଥିବା ବେଳେ କେନ୍ଦୁପତ୍ର ବୋଝେଇ ଗାଡ଼ି ଜବତ, ଅଭିଯୁକ୍ତ ଫେରାର

କୁଚିଣ୍ଡା(କେନ୍ୟୁଜ୍): କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସୋଲବଗା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଉତ୍ତର ଗାଁ ଫଡ଼ିରୁ ଲୁଟ ହୋଇଥିବା କେନ୍ଦୁପତ୍ରକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାମରା ବ୍ଲକ ଜରାବଗା ପଞ୍ଚାୟତ ଉତ୍ତରଗାଁ ଫଡ଼ିରେ ଦୁର୍ବୃତ୍ତ ପହଁଚି ମାରଣାସ୍ତ୍ର ଦେଖାଇ କେନ୍ଦୁପତ୍ର ଲୁଟ କରିଥିଲେ। ଏହାକୁ ଏକ ପିକଅପ ଗାଡିରେ ନେଇ ଫେରାର ହୋଇଥିବା ବେଳେ ବାମରା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପିଛା କରିଥିଲେ। ହେଲେ ଦୁର୍ବୃତ୍ତ ମାନେ କାଦୋଦରହ ଗାଁ ପାଖରେ ଗାଡି ଛାଡି ଫେରାର ହୋଇଯାଇଥିଲେ। ବନ ବିଭାଗ ପିକଅପ ଗାଡ଼ି (ଓଡ଼ି ୧୬ ଇ ୪୨୧୨) ସହ କେନ୍ଦୁପତ୍ରକୁ ଜବତ କରିଥିବା ସୂଚନା ମିଳିଛି।
ଜବତ କେନ୍ଦୁପତ୍ରର ଓଜନ ୨୭୫ କେଜି ଥିବା ବେଳେ ଏହାର ମୂଲ୍ୟ ଆନୁମାନିକ ୬୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏନେଇ ବାମରା ବନ୍ୟ ପ୍ରାଣୀ ଡିଭିଜନର ବାମରା ରେଞ୍ଜରେ ଏକ ମାମଲା ରୁଜୁ କରି ଓଡ଼ିଶା ଫରେଷ୍ଟ ଆକ୍ଟ ଅନୁସାରେ ତଦନ୍ତ ଜାରି ରହିଛି ବୋଲି ରେଞ୍ଜର ରାଜଶ୍ରୀ ତିର୍କୀ ସୂଚନା ଦେଇଛନ୍ତି ।