କୋଲକାତାରେ ଖୋଲିଲା କିସ୍‌ ଶାଖା

କୋଲକାତାରେ ଖୋଲିଲା କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନସେସ୍‌-କିସର ଶାଖା । ଆଇଆଇଏମ ଜୋକା ନିକଟରେ କିସ ଶାଖାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ୫ ଏକର ଜମି ଉପରେ ନିର୍ମିତ ହେବ ଏହି ଆବାସିକ ବିଦ୍ୟାଳୟ । ଏହା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । କୋଲକାତା କିସ୍‌ ଶାଖାରେ ୧୨ଶହ ଗରିବ ଓ ଅବହେଳିତ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯିବ । କିସ୍‌ ଓ କୋଲକାତାର ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ପ୍ରତିଷ୍ଠାନ ହେଲପ ଅସ, ହେଲପ ଦେମ-ଏଚୟୁଏଚଟି ମିଳିତ ସହଯୋଗରେ ଏହି କିସ୍‌ ଶାଖା ଖୋଲିବାକୁ ଯାଉଛି । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅସୁସ୍ଥତା ଯୋଗୁଁ ଭୂମିପୂଜନ ଉତ୍ସବରେ ଅନୁପସ୍ଥିତ ଥିବା ବେଳେ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ହେଲପ ଅସ, ହେଲପ ଦେମରେ ମୁଖ୍ୟ ମୁକ୍ତି ଗୁପ୍ତା ଭୁବନେଶ୍ୱର କିସ ପରିଦର୍ଶନ ସମୟରେ ଏହାକୁ ଦେଖି ବିମୋହିତ ହୋଇଥିଲେ । କିସ୍‌ ଢାଞ୍ଚାରେ ଏକ ଆବାସିକ ବିଦ୍ୟାଳୟ କୋଲକାତାରେ ଖୋଲିବାକୁ ସେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଆଇଆଇଏମ ଜୋକା ନିକଟରେ ୫ ଏକର ଜମି କିଣିଥିଲେ । ଗତ ୬ ମାସ ଭିତରେ ମୁକ୍ତି ଗୁପ୍ତା କୋଲକାତାରେ ଦୁଇଟି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଡ. ସାମନ୍ତଙ୍କର ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏଥିରେ ଅନୁପ୍ରାଣିତ ହୋଇ ପ୍ରଥମ ପର୍ଯ୍ୟାୟରେ ଗୋଟିଏ କର୍ପୋରେଟ ସେକ୍ଟର ୧୫ କୋଟି ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଏକ କର୍ପୋରେଟ ସେକ୍ଟର ୧୦ କୋଟି ଟଙ୍କା ଦାନ କରିଥିଲେ । ଏହି ଆର୍ଥିକ ସହାୟତାରେ ରୋଟାରୀ କ୍ଲବ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଶିକ୍ଷା ମାଧ୍ୟମରେ ସମାଜର ଗରିବ ଓ ଅବହେଳିତ ଶିଶୁମାନଙ୍କୁ ସଶକ୍ତ କରିବାରେ କିସ୍‌ ଏକ ସ୍ୱୟଂସଂପୂର୍ଣ୍ଣ ସଫଳ ମଡେଲ ହୋଇଆସୁଥିବାରୁ ଏହି ମଡେଲକୁ ବିଭିନ୍ନ ରାଜ୍ୟ ଆପଣାଇବାକୁ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ଓଡ଼ିଶାର ସମସ୍ତ ଜିଲ୍ଲା ଓ ଦେଶର ସବୁ ରାଜ୍ୟ ଓ ବିଭିନ୍ନ ଦେଶରେ କିସର ଶାଖା ଖୋଲିବା ପାଇଁ ଡ. ଅଚ୍ୟୁତ ସାମନ୍ତ ଉଦ୍ୟମ ଜାରି ରଖିଛନ୍ତି । କୋଲକାତାରେ କିସର ଶାଖା ଖୋଲୁଥିବାରୁ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.