କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନ, ମେ ୩୧ ପର୍ଯ୍ୟନ୍ତ ଦିଆଯିବ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନ। ତାଲା ବନ୍ଦ ମେ ୩୧ ପର୍ଯ୍ୟନ୍ତ ବଢିଥିବାରୁ ସେହି ଅନୁସାରେ କିଟ୍‌ ଓ କିସ୍‌ ପକ୍ଷରୁ ୧୫ଟି ଜିଲ୍ଲାର ୧୮ଟି ସ୍ଥାନ ଏବଂ ଭୁବନେଶ୍‌ରର ୩ଟି ସ୍ଥାନ ମୋଟ ୨୧ଟି ସ୍ଥାନରେ ଦିଆଯାଉଥିବା ରନ୍ଧା ଖାଦ୍ୟ ମେ ୩୧ ପର୍ଯ୍ୟନ୍ତ ଦିଆଯିବ ବୋଲି କିଟ୍‌ ଓ କିସ ପକ୍ଷରୁ ନିଷ୍ପତି ନିଆଯାଇଛି।

 କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ନିଜେ ତଦାରଖ କରୁଛନ୍ତି। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ବୃଦ୍ଧି କରିଛନ୍ତି। ଏହି ସମୟରେ କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ଗଜପତି ଆଦି ୧୫ଟି ଜିଲ୍ଲାରେ ନିରାଶ୍ରୟ, ଗରିବ ଓ ନିଃସହାୟ ଲୋକଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରର ବୁଦ୍ଧନଗର ଲେପ୍ରୋସି କଲୋନୀ, ମଞ୍ଚେଶ୍ୱର ଜଗନ୍ନାଥ ଲେପ୍ରୋସି କଲୋନୀ, କେଶରୀନଗର ସ୍ୱପ୍ନାଟ୍ରଷ୍ଟ ଓ ୪୧ ନମ୍ବର ୱାର୍ଡରେ ଥିବା ବ୍ଲାଇଣ୍ଡ ଆସୋସିଏସନ୍‌ ପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ଦୁଇ ଓଳି ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ତାଲାବନ୍ଦ ଯୋଗୁଁ ଦୋକାନ ବଜାର ଓ ହୋଟେଲ ଆଦି ବନ୍ଦ ରହୁଥିବାରୁ ଏହି ଲୋକମାନେ ଖାଦ୍ୟ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଜିଲ୍ଲା ପ୍ରଶାସନ ସହଯୋଗରେ ବିଭିନ୍ନ ଜିଲ୍ଲାରେ ଥିବା କିଟ୍‌ ଓ କିସ୍‌ର କର୍ମଚାରୀମାନେ ପ୍ରତି ଜିଲ୍ଲା ସଦର ମହକୁମା ଅଞ୍ଚଳରେ ପ୍ରାୟ ୧୫୦ ନିରାଶ୍ରୟ, ଗରିବ ଓ ନିଃସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରି କିଟ୍‌ ଓ କିସର କେତେକ କର୍ମଚାରୀ ଭୁବନେଶ୍ୱର ତଥା ରାଜ୍ୟର ୧୫ଟି ଜିଲ୍ଲା ସଦର ମହକୁମାରେ ବଣ୍ଟନ କରାଯାଉଥିବା ରନ୍ଧାଖାଦ୍ୟ ବାବଦ ଖର୍ଚ୍ଚ ବହନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.