Below header

ସଂଘର୍ଷ ଆଣେ ସଫଳତା: ରାଜ୍ୟ ଇତିହାସରେ ପ୍ରଥମ, କଳାକୋଟ୍ ପିନ୍ଧିଲେ କିନ୍ନର ସଲମା

କେନ୍ଦୁଝର(କେନ୍ୟୁଜ୍): ସଂଘର୍ଷ ଆଣେ ସଫଳତା । ଯାହା ପ୍ରମାଣ କରି ଦେଖାଇଛନ୍ତି ସଲମା ବେଗମ୍ । କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ରୋଏଡା ଗ୍ରାମରେ ସେ ଦିନେ ପୁରୁଷ ହୋଇ ଜନ୍ମ ହୋଇଥିଲେ । ହେଲେ ସମୟକ୍ରମେ ତାଙ୍କ ଭିତରେ ବିକଶିତ ହେଲା ନାରୀସୁଲଭ ଗୁଣ। ଏଭଳି ଶାରୀରିକ ବ୍ୟତିକ୍ରମ ପାଇଁ ତାଙ୍କୁ ସହିବାକୁ ପଡ଼ିଛି ଅକଥନୀୟ ଲାଞ୍ଛନା ଆଉ ଟାହିଟାପରା । ଶିକାର ହେବାକୁ ପଡ଼ିଛି ସାମାଜିକ ତାଡ଼ନାର । ଜୀବନର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ସମ୍ପର୍କୀୟମାନେ ହାତ ଛାଡ଼ି ଦେଇଥିବାବେଳେ ଶିକ୍ଷା ହିଁ ଦେଖାଇଲା ଆଶାର ଆଲୋକ। ଯାହାକୁ ପୁଞ୍ଜି କରି କୋର୍ଟରେ କଳାକୋର୍ଟ ପିନ୍ଧିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି କିନ୍ନର ମହମ୍ମଦ ସଲିମ୍ ଓରଫ୍ ସଲମା ।

ସମାଜର ଅବହେଳିତ , ନିଷ୍ପେସିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟ ରଖି ସେ ଓକିଲାତି କରିଥିଲେ। ଏଥିପୂର୍ବରୁ ପୋଲିସ ବିଭାଗର ଏସ୍ଆଇ ପରୀକ୍ଷା ପାଇଁ ଆବେଦନ କରି ସେ ଚର୍ଚ୍ଚାର ପରିଧିକୁ ଆସିଥିଲେ । ରାଜ୍ୟ ବାର୍ କାଉନ୍ସିଲରେ ବିଧିବଦ୍ଧ ଭାବେ ସେ ନିଜର ନାମ ପଞ୍ଜୀକରଣ କରିଛନ୍ତି । ପ୍ରାରମ୍ଭିକ ଭାବେ ବଡ଼ବିଲ କୋର୍ଟରେ ସେ ଆଇନ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି ।

ତେବେ ଜଣେ କିନ୍ନର ଆଇନ ବ୍ୟବସାୟରେ ସାମିଲ ହେବା ରାଜ୍ୟ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଅନ୍ୟପଟେ ସଲମାଙ୍କ ସଂଘର୍ଷ ଏବଂ ସଫଳତାର ଏହି କାହାଣୀ ଭିତରେ ସେ ଲିଙ୍ଗଗତ ବୈଷମ୍ୟର ଶିକାର ହୋଇଥିବାବେଳେ ବଡ଼ ପରିବାର ହୋଇଥିବାରୁ ଏଥିଲାଗି ତାଙ୍କ ମା’ଙ୍କୁ ମଧ୍ଯ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି । ପଛୁଆ ବର୍ଗ ଏବଂ କିନ୍ନର ହୋଇଥିବାରୁ ପାଠପଢ଼ାରେ ଅନେକ ଝଡ଼ଝଞ୍ଜା ଆସିଥିଲା । ସେସବୁକୁ ଭ୍ରୂକ୍ଷେପ ନ କରି ସେ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ , ଯାହାର ଫଳ ତାଙ୍କୁ ମିଳିଛି । ତେବେ ରାଜ୍ୟ ବାର୍ କାଉନ୍ସିଲ ସଦସ୍ୟ ହେବା ପାଇଁ ମୀରା ପରିଡ଼ାଙ୍କ ପ୍ରେରଣା ଏବଂ ପ୍ରୋତ୍ସାହନ ରହିଥିବା ସେ କହିଛନ୍ତି ।

ସରକାର କିନ୍ନରଙ୍କୁ ଅଧିକାର ଦେବା ପାଇଁ ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ଆଇନ ୨୦୧୯ ଓ ରୁଲ୍ – ୨୦୨୦ କାର୍ଯ୍ୟକାରୀ କରିଛନ୍ତି । ଏହାପରେ ସେ ସରକାରୀ ଯୋଜନାରେ ସାମିଲ ହୋଇପାରିଛନ୍ତି । ତେବେ କୁତ୍ସିତ ମାନସିକତାକୁ ଭୁଲି ମା’ବାପା ସେମାନଙ୍କ କିନ୍ନର ପିଲାଙ୍କୁ ପାଠ ପଢ଼ାଇବା ଆବଶ୍ୟକ । ଏଭଳି ଶାରୀରିକ ବ୍ୟତିକ୍ରମ ଥିବା ସନ୍ତାନଙ୍କୁ ପ୍ରତିଷ୍ଠିତ କରାଇବା ଲାଗି ମାନସିକ ସ୍ତରରେ ଯଦି ସମସ୍ତ ପ୍ରକାର ସହାୟତା କରାଯାଏ ତେବେ କିନ୍ନରମାନେ ମଧ୍ଯ ସମାଜରେ ନିହାତୀ ପ୍ରତିଷ୍ଠିତ ହୋଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.