୧୩ ଛାତ୍ରୀଙ୍କୁ ଦୁଷ୍କର୍ମ, ୮ ହୋଇଗଲେ ଗର୍ଭବତୀ; ଶିକ୍ଷକଙ୍କୁ ‘ସଜା-ଏ-ମୌତ୍‌’

ଇଣ୍ଡୋନେସିଆରେ ଜଣେ ଶିକ୍ଷକ ନିଜ କୁକର୍ମ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏଠାରେ ଏକ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଶିକ୍ଷକ ଇସ୍‌ଲାମିକ ସ୍କୁଲରେ ୧୩ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଏଥି ପୂର୍ବରୁ ଫେବୃଆରୀରେ ବାଣ୍ଡୁଙ୍ଗ୍‌ ସିଟି କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଏହାକୁ ଅଭିଯୋଜନ ପକ୍ଷ (prosecution) ବିରୋଧ କରିଥିଲେ ଏବଂ ମୃତ୍ୟୁଦଣ୍ଡ ଦାବି କରିଥିଲେ।

ରିପୋର୍ଟ ମୁତାବକ, ଏହି ସ୍କୁଲ ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ହେରୀ ଓ୍ଵିରାଓ୍ଵନ ନାମକ ଶିକ୍ଷକଙ୍କ କୁକର୍ମ ପଦାରେ ପଡ଼ିଥିଲା ଏବଂ ଇଣ୍ଡୋନେସିଆରେ ଧାର୍ମିକ ବୋର୍ଡିଂ ସ୍କୁଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କେମିତି ପିଲାମାନଙ୍କୁ ସ୍କୁଲରେ ସୁରକ୍ଷିତ ରଖାଯାଇ ପାରିବ, ତାହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଥିଲା।

ସୋମବାର ବାଣ୍ଡୁଙ୍ଗ୍‌ ହାଇକୋର୍ଟ ଏହି ମାମଲାରେ ନିଜର ନିଷ୍ପତ୍ତି ଶୁଣାଇ ଶିକ୍ଷକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ େଓ୍ଵବ୍‌ସାଇଟରେ ଯେଉଁ ବୟାନ ଜାରି କରାଯାଇଛି, ତାହା ମୁତାବକ, ‘ଆମେ ଦୋଷୀଙ୍କୁ ଏହି ମାମଲାରେ ମୃତ୍ୟୁଦଣ୍ଡ ଶୁଣାଉଛୁ’। ସେପଟେ ଦେଶର ଶିଶୁ ସୁରକ୍ଷା ମନ୍ତ୍ରୀ ମଧ୍ୟ ଏହି ସମ୍ବେଦନଶୀଳ ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବାକୁ ସମର୍ଥନ ଜଣାଇଛନ୍ତି। ଯଦିଓ ଦେଶର ମାନବାଧିକାର ଆୟୋଗ ଏଭଳି ଦଣ୍ଡାଦେଶକୁ ବିରୋଧ କରିଛନ୍ତି। ଆୟୋଗ କହିଛନ୍ତି ଯେ ଏହା ଉଚିତ ହୋଇନି। ଅନ୍ୟପକ୍ଷରେ ଶିକ୍ଷକଙ୍କ ଓକିଲ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଖବର ରହିଛି ଯେ ୨୦୧୬ରୁ ୨୦୨୧ ମଧ୍ୟରେ ହେରୀ ଓ୍ଵିରାଓ୍ଵନ ଏଭଳି କାଣ୍ଡ ଘଟାଇଥିଲେ। ସେ ୧୨ରୁ ୧୬ ବର୍ଷର ଛାତ୍ରୀମାନଙ୍କୁ ଟାର୍ଗେଟ କରି ସେମାନଙ୍କ ସହିତ ଯୌନ ଶୋଷଣ କରିଥିଲେ। ସେଥି ମଧ୍ୟରୁ ୮ ଜଣ ଛାତ୍ରୀ ଗର୍ଭବତୀ ହୋଇଥିଲେ। ଏହି କଥା ଫେବୃଆରୀରେ ନ୍ୟାୟାଧୀଶ କୋର୍ଟରେ ଶୁଣାଇଥିଲେ। କହି ରଖୁଛୁ, ଇଣ୍ଡୋନେସିଆ ବିଶ୍ୱର ବଡ଼ ବଡ଼ ମୁସ୍‌ଲିମ ଦେଶ ମଧ୍ୟରୁ ଅନ୍ୟତମ। ଏଠାରେ ହଜାର ହଜାର ସଂଖ୍ୟାରେ ଇସ୍‌ଲାମିକ ବୋର୍ଡିଂ ସ୍କୁଲ ଏବଂ ଧାର୍ମିକ ସ୍କୁଲ ରହିଛି, ଯେଉଁଠି ଗରିବ ପରିବାରରୁ ଆସୁଥିବା ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.