ଛେନାରେ ତିଆରି ସୁ-ସ୍ୱାଦୁ ମିଠା ଛେନାପୋଡ଼, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

ଛେନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ସୁ-ସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ର ଦଶପଲ୍ଲା ସହରରେ ଏହାର ସୃଷ୍ଟି ବୋଲି କୁହାଯାଏ । ନୟାଗଡ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ ।

ଦଶପଲ୍ଲା : ଛେନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ସୁ-ସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ର ଦଶପଲ୍ଲା ସହରରେ ଏହାର ସୃଷ୍ଟି ବୋଲି କୁହାଯାଏ । ନୟାଗଡ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ । କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ । ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି । ହେଲେ ଆଜିଯାଏଁ ନା ଛେନାପୋଡ଼କୁ ମିଳିଛି କୌଣସି ସ୍ୱୀକୃତି ନା ପ୍ରଚାର ପ୍ରସାରର ସୁବିଧା । ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଉଦ୍ୟମ ।

ନୟାଗଡ଼ର ସ୍ୱର୍ଗତ ସୁଦର୍ଶନ ସାହୁ ଏହି ସୁଆଦିଆ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଏହାର ପ୍ରକୃତ ସ୍ରଷ୍ଟା ସୁଦର୍ଶନଙ୍କ ପିତା ବିଦ୍ୟାଧର ସାହୁଙ୍କୁ ଲୋକ ଭୁଲିଯାଉଥିବା ନେଇ ପରିବାର ପକ୍ଷରୁ ଦାବି ହେଉଛି । କୁହାଯାଏ ଛେନାପୋଡ଼କୁ ପ୍ରଥମେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪ ନଂ ୱାର୍ଡ଼ ଜରିପାଟଣା ଗ୍ରାମର ବିଦ୍ୟାଧର ସାହୁ ପ୍ରସ୍ତୁତ କରିଥିଲେ । ପରିବାରର ଉତ୍ତରାଧିକାରି ତଥା ପଡୋଶୀଙ୍କ କହିବା ଅନୁଯାୟୀ ବିଦ୍ୟାଧର ଏକ ଜଳଖିଆ ଦୋକାନ ଦେଇଥିଲେ । ଦୋକାନକୁ କ୍ଷୀର ଓ ଛେନା ଆସୁଥିବାବେଳେ ଦିନେ ଛେନା ବଳି ଯାଇଥିଲା। ସେହି ବଳକା ଛେନାକୁ ବିଦ୍ୟାଧରଙ୍କ ପତ୍ନୀ ଜେମାମଣି ଦିନେ ସେହି ଛେନାରେ ଚିନି ଗୋଳାଇ ଏକ ପାତ୍ରରେ ରଖି ଚୁଲି ନିଆଁ ଘୋଡ଼ାଇ ଦେଇଥିଲେ। ପରଦିନ ସକାଳୁ ଏହାକୁ ଖାଇଲା ବେଳକୁ ସୁ – ସ୍ଵାଦୁ ଲାଗିଥିଲା । ପରେ ଧିରେ ଧିରେ ଛେନା ଓ ଚିନିକୁ ମିଶାଇ ଛେନାପୋଡ଼ କରୁଥିଲେ । ଜଳଖିଆ ଖାଇ ଆସୁଥିବା ପ୍ରତ୍ୟେକଟି ଗ୍ରାହକ ଆକୃଷ୍ଟ ହେବାରେ ଲାଗିଥିଲେ ।

କ୍ରମେ ଦଶପଲ୍ଲାରେ ଏହି ବ୍ୟବସାୟର ଆଦୃତି ବଢ଼ିବାରେ ଲାଗିଲା । ଖାଲି ସେତିକି ନୁହେଁ, କୁଆଡେ଼ ବିଦ୍ୟାଧର ଦଶପଲ୍ଲା ରାଜାଙ୍କ ଗୁଡ଼ିଆ ଥିଲେ । ତାଙ୍କର ୩ ପୁଅ ଗୌରଚନ୍ଦ୍ର, ସୁଦର୍ଶନ ଓ ଭଗବାନ । ଦିନେଦିନେ ଯାହା ପୋଡ଼ ବଳକା ରହେ ତାକୁ ବେପାର ପାଇଁ ସୁଦର୍ଶନ ନୟାଗଡ଼ ଚାଲିଯାଆନ୍ତି। କାଳକ୍ରମେ ୨ ପୁଅ ଭଗବାନ ଓ ସୁଦର୍ଶନ ନୟାଗଡ଼ ଚାଲିଯାଇଥିଲେ । ନୟାଗଡ଼ର କଚେରି ଛକ ନିକଟରେ ସୁଦର୍ଶନ ନିଜର ବ୍ୟବସାୟ ଆରମ୍ଭ କରିବା ସହିତ ଛେନାପୋଡ଼ ପ୍ରସ୍ତୁତ କରୁଥିଲେ। ହେଲେ ଆଜି ଯେଉଁ ଛେନାପୋଡ଼କୁ ବିଶ୍ଵ ଛେନାପୋଡ଼ ଦିବସ ରୂପେ ପାଳନ କରିବାକୁ ରାଜନେତା ,ପ୍ରଶାସନ,ବୁଦ୍ଧିଜୀବୀ ଅଣ୍ଟା ଭିଡିଛନ୍ତି । ପ୍ରକୃତରେ ତାହାର ପ୍ରକୃତ ସ୍ରଷ୍ଟାକୁ ମନେ ପକାଇବା ସହ ତାଙ୍କର ଜନ୍ମ ବା ମୃତ୍ୟୁ ଦିବସକୁ ଛେନାପୋଡ଼ ଦିବସ ରୂପେ ପାଳନ କରାଗଲେ ଛେନାପୋଡ଼ର ମର୍ଯ୍ୟାଦା ବୃଦ୍ଧି ପାଇ ପାରିବ ବୋଲି ପରିବାର ସଦସ୍ୟ ପକ୍ଷରୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.