ନିଜ ନାମର ଯଥାର୍ଥତାକୁ ପ୍ରମାଣିତ କଲେ ସୂର୍ଯ୍ୟପ୍ରକାଶ, କୋରାପୁଟର ଏହି ସୁନା ପୁଅ ମହାକାଶ ବିଜ୍ଞାନରେ କରିବେ ଗବେଷଣା

କୋରାପୁଟ: କୋରାପୁଟ ପୁଅ କରିବେ ମହାକାଶ ବିଜ୍ଞାନରେ ଗବେଷଣା । କୃଷି ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଗବେଷଣା କରିବାକୁ ସ୍ବପ୍ନ ଦେଖୁଛନ୍ତି । ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ସ୍ପେସ ଏଣ୍ଡ ଟେକ୍ନୋଲୋଜି ଭଳି ଅନୁଷ୍ଠାନରେ ନାମ ଲେଖାଇ ବେଶ ଖୁସି ଅଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ମେଧାବୀ ଛାତ୍ର ସୂର୍ଯ୍ୟପ୍ରକାଶ ମିଶ୍ର । ଏଭଳି ସଫଳତାରେ ବାପା ମାଆ ବେଶ ଖୁସି ପ୍ରକଟ କରିଥିବାବେଳେ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ସୂର୍ଯ୍ୟ ପ୍ରକାଶ ।

ଭଲ ନାମ ସୂର୍ଯ୍ୟପ୍ରକାଶ ମିଶ୍ର । ଘର କୋରାପୁଟ ଜିଲ୍ଲା ଜୟପୁର ପାରାବେଡାରେ । ନିଜ ନାଁର ଯଥାର୍ଥତାକୁ ପ୍ରମାଣିତ କରିଛନ୍ତି ସୂର୍ଯ୍ୟପ୍ରକାଶ । କେରଳର ତିରୁଅନନ୍ତପୁରମ ସ୍ଥିତ ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ସ୍ପେସ ଏଣ୍ଡ ଟେକ୍ନୋଲୋଜି ଭଳି ପ୍ରସିଦ୍ଧ ଅନୁଷ୍ଠାନରେ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଭଳି ବିରଳ ସଫଳତା ପାଇବା ପରେ ସୂର୍ଯ୍ୟ ପ୍ରକାଶ ବେଶ ଖୁସି ଅଛନ୍ତି । ନାମ ଲେଖା ଶେଷ କରି ଏବେ କୋଭିଡ କାରଣରୁ ଘରେ ବସି ପଢୁଛନ୍ତି ସ୍ପେସ ସାଇନ୍ସ । କୋରାପୁଟ ଭଳି ଆଦିବାସୀ ପଛୁଆ ଅଂଚଳର ମେଧାବୀ ପୁଅ ସୂର୍ଯ୍ୟଙ୍କ ଏଭଳି କୃତିତ୍ବ ଜିଲ୍ଲା ଓ ରାଜ୍ୟ ପାଇଁ ବେଶ ଗୌରବ ଆଣି ଦେଇଛି । ଭବିଷ୍ୟତରେ ବିଦେଶକୁ ନ ଯାଇ ଇସ୍ରୋରେ ନିଜ ଦେଶ ପାଇଁ କାର୍ଯ୍ୟ କରି ବାପାମାଆଙ୍କ ସ୍ବପ୍ନକୁ ପୂରଣ କରିବେ ବୋଲି ସେ କହିଛନ୍ତି ।

suryaprakashବାପା ଓଁ ପ୍ରକାଶ ମିଶ୍ର ହେଉଛନ୍ତି ଖ୍ୟାତି ସମ୍ପନ୍ନ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ । ସ୍ଥାନୀୟ ଜୟପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ । ମାଆ ପ୍ରୀତି ଲତା ମିଶ୍ର ଜୟପୁର ବିକ୍ରମ ଦେବ କଲେଜର୍ ଇଂରାଜୀ ଅଧ୍ୟାପିକା । ପିଲାଟି ଦିନରୁ ଆକାଶରେ ତାରା ସୂର୍ଯ୍ୟଙ୍କୁ ଦେଖି ଅନେକ ପ୍ରଶ୍ନ ପଚାରୁଥିଲେ ସୂର୍ଯ୍ୟ ପ୍ରକାଶ । ନିଜ ହାତ ଖର୍ଚ୍ଚକୁ ବ୍ୟୟ ନ କରି ପ୍ରସିଦ୍ଧ ଅନ୍ତଜାତୀୟ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକଙ୍କ ବହି ପଢୁଥିଲେ । ପିଲା ଦିନୁ ସୂର୍ଯ୍ୟଙ୍କ ଏଭଳି ମନୋଭାବ ଦେଖି ବାପା ସେ ଦିଗରେ ପ୍ରୋତ୍ସାହିତ କରିଥିଲେ । ସ୍ଥାନୀୟ ଦୀପ୍ତି କନଭେଣ୍ଟରେ ପାଠ ପଢି ଭୁବନେଶ୍ଵର ଡିଏଭିରେ ବିଜ୍ଞାନରେ ଅଧ୍ୟୟନ କଲେ ସୂର୍ଯ୍ୟ

ପରେ ଜାତୀୟ ପ୍ରବେଶିକା ପରୀକ୍ଷାରେ ଉତ୍କୃଷ୍ଟ ନମ୍ବର ରଖି ଆଇଆଇଟି ପାଇ ଥିଲେ । କିନ୍ତୁ ଦେଶର ଭବିଷ୍ୟତ ପାଇଁ ସେ ସ୍ପେସ ସାଇନ୍ସ ପାଇଁ ମନ ବଳେଇଥିଲେ । ଶେଷରେ ଦେଶର ୩୦ ଜଣ ମେଧାବୀଙ୍କ ମଧ୍ୟରୁ ସୂର୍ଯ୍ୟ ପ୍ରକାଶ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରଦ୍ୟୋଗୀକ୍ ସଂସ୍ଥାନରେ ନିଜର ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁଅର ଏଭଳି ସଫଳତାରେ ମାଆ ଓ ବାପା ଖୁସି ପ୍ରକଟ କରିବା ସହ କୋରାପୁଟ ମାଟିର ଗୌରବ ବୃଦ୍ଧି ହୋଇଛି ବୋଲି କହିଛନ୍ତି ।

ସୂର୍ଯ୍ୟପ୍ରକାଶ ଆଗାମୀ ଦିନରେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେଇ କୃଷି, ଜଳବାୟୁ ପରିବର୍ତ୍ତନକୁ ନେଇ ଅଧିକ ଗବେଷଣା କରିବାକୁ ସ୍ୱପ୍ନ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଗବେଷଣା କରି ଦେଶ ଜାତିର ନାମକୁ ଆଗକୁ ବଢ଼େଇବାକୁ ସେ ଦୃଢ଼ ସଂକଳ୍ପ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.