ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଲେ ବିଜେପି ପ୍ରାର୍ଥୀ, ଘୋଷଣା କଲା ଭାଜପା

କେନ୍ୟୁଜ୍(ବ୍ୟୁରୋ):  ସରଗରମ ଧାମନଗର ରାଜନୀତି । । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରିଛି ଦଳ । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଧାମନଗରରେ ବିଜେପିର ବରିଷ୍ଠ ନେତାମାନେ ଡେରା ପକାଇଛନ୍ତି । ୨୦୧୦ରୁ ବିଜେପି ଆଇଟି ସେଲ୍‌ରେ କାର୍ଯ୍ୟ କରୁଛନ୍ତି ସୂର୍ଯ୍ୟବଂଶୀ ସୁରଜ । ୨୦୧୧ରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୯ ଧାମନଗର ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇଥିଲେ । ଏହାସହ ଧାମନଗରରେ ସଂଗଠନ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ପୂର୍ବରୁ ସୂର୍ଯ୍ୟବଂଶୀ ପ୍ରାର୍ଥୀ ନେଇ ଗ୍ରୀନ ସିଗନାଲ ପାଇବା ପରେ ଗ୍ରାଉଣ୍ଡରେ ପ୍ରଚାର ଆରମ୍ଭ କରିଦେଇଥିଲେ । ଦଳୀୟ ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ପ୍ରତିକ୍ରିୟାରେ କହିଛନ୍ତି, ବାପାଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ସେବା କରିବି । ଧାମନଗରବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବେ ।

ଧାମନଗର ଉପନିର୍ବାଚନରେ ବିଜେଡି ଓ କଂଗ୍ରେସରୁ କିଏ ହେବେ ପ୍ରାର୍ଥୀ ? ତାହା ସ୍ପଷ୍ଟ ହୋଇନାହିଁ । ବିଜେଡି ପ୍ରାର୍ଥୀ ରେସ୍‌ରେ ଅଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡାକ୍ତର ସଞ୍ଜୟ ଦାସ, ଶରତ ଦାସ ଓ ରାଜେନ୍ଦ୍ର ଜେନା । ୨୦୧୯ରେ ୪, ୬୨୫ ଭୋଟ୍‌ ବ୍ୟବଧାନରେ ଜିତିଥିଲେ ବିଷ୍ଣୁ ସେଠୀ । ଗତ ନିର୍ବାଚନରେ ବିଜେପିର ବିଷ୍ଣୁ ସେଠୀ ୪୮.୪୭ % ଭୋଟ୍‌ ପାଇଥିଲେ । ସେହିପରି ବିଜେଡିର ରାଜେନ୍ଦ୍ର ଦାସଙ୍କୁ ମିଳିଥିଲା ୪୫.୬୭% ଭୋଟ୍‌ । ବିଜେଡିରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସରପ୍ରାଇଜ୍‌ ଦେଇପାରନ୍ତି ନବୀନ । ବାଲେଶ୍ୱର ଉପନିର୍ବାଚନ ପରି ଏଠାରେ ବିଜୟ ସମ୍ଭାବନା ଥିବା ଜଣେ ନୂଆ ମୁହଁକୁ ଦଳ ଟିକେଟ ଦେଇପାରେ । ଠିକ ସମୟରେ ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥିଙ୍କ ନାମ ଘୋଷଣା କରିବେ ବୋଲି ବିଜେଡି ନେତା କହିଛନ୍ତି । ଗତକାଲି ଦୋବଲ ପରେ ଆଜି ଲୁଣିଆରେ ଜନସଂପର୍କ ପଦଯାତ୍ରା କରିଛି ବିଜେଡି । କଂଗ୍ରେସ ବି ଉପନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। କଂଗ୍ରେସ ପ୍ରାର୍ଥୀ ରେସ୍‌ରେ ଅଛନ୍ତି ପଞ୍ଚାନନ ମଣ୍ଡଳ, ମୁରଲୀ ଜେନା ଓ ବିଦ୍ୟାଧର ଜେନା । କଂଗ୍ରେସ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ଦେବା ପରେ ପ୍ରାର୍ଥୀ ଚୟନ କରାଯିବ। ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ ଭୋଟ୍‌ । ନଭେମ୍ବର ୬ରେ ବାହାରିବ ଫଳାଫଳ । ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.