ଲର୍ଣ୍ଣିଂ, ଡିଏଲ କିମ୍ବା ପିୟୁସି ପାଇଁ ପ୍ରତି ବ୍ଲକ ଓ ସବ୍‌ ଡିଭିଜନରେ ଖୋଲିବ କ୍ୟାମ୍ପ

ସାରା ରାଜ୍ୟରେ ବ୍ଲକ ଓ ସବଡିଭିଜନ ସ୍ତରରେ କ୍ୟାମ୍ପ କରି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ନୂଆ ଟ୍ରାଫିକ ନିୟମ ନେଇ ସରକାର ତିନିମାସ କୋହଳ କରିଥିବା ସମୟରେ ସବୁ ଗାଡ଼ି ମାଲିକ ଯେପରି ଆବଶ୍ୟକ କାଗଜପତ୍ର ହାସଲ କରିପାରିବେ ତାହା ଗୁରୁତ୍ୱ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଲୋକଙ୍କ ପାଖକୁ ଯିବ ପରିବହନ ବିଭାଗ । ଲର୍ଣ୍ଣିଂ ଡିଏଲ କିମ୍ବା ପ୍ରଦୂଷଣ ସାର୍ଟିଫିକେଟ ପାଇଁ ପ୍ରତି ବ୍ଲକ ଓ ସବ୍‌ ଡିଭିଜନରେ ଖୋଲିବ କ୍ୟାମ୍ପ । ଆରଟିଓ ଅଫିସ ବ୍ୟତୀତ ଏହି କ୍ୟାମ୍ପରେ ଲୋକଙ୍କୁ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଓ ପିୟୁସି ସାର୍ଟିଫିକେଟ୍‌ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଅଧିକାଂଶ ଲୋକ ଡିଏଲ ଓ ପିୟୁସି ପାଇଁ ହଇରାଣ ହେଉଛନ୍ତି । ଏବେ ତିନି ମାସ ପାଇଁ ଟ୍ରାଫିକ ନିୟମ କୋହଳ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଲୋକମାନେ କ୍ୟାମ୍ପରୁ ଲର୍ଣ୍ଣିଂ ଡିଏଲ ଓ ପିୟୁସି ପାଇପାରିବେ ।
ଅନ୍ୟପଟେ ଅକ୍ଟୋବର ୧ ତାରିଖରୁ ଯାନବାହନର ଅନଲାଇନରେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ସେପ୍ଟେମ୍ବର ୩୦ ପରେ ଅଫଲାଇନରେ ପ୍ରସ୍ତୁତ ପ୍ରମାଣପତ୍ର ଗ୍ରହଣୀୟ ହେବନାହିଁ। ସାରା ରାଜ୍ୟରେ ଏବେ ୧୬୩ଟି ପ୍ରଦୂଷଣ ପରୀକ୍ଷା କେନ୍ଦ୍ର କାମ କରୁଛି। ଏଥିରୁ ୧୦୬ଟି ବାହାନ ସହ ସଂଯୁକ୍ତ ଥିବା ବେଳେ ୫୭ଟି ଅଫଲାଇନ ରହିଛି। ସେପ୍ଟେମ୍ବର ୧ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ୬୯ ହଜାର ୨୧୦ ପ୍ରମାଣପତ୍ର ଅନଲାଇନରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଡିସେମ୍ବର ୧ ତାରିଖ ଯାଏ ରାଜ୍ୟରେ ଟ୍ରାଫିକ କଟକଣା କୋହଳ ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।