ମାଲକାନାଗିରି : ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ୪ ଅନାଥ ଶିଶୁ

ମାଲକାନାଗିରି (କେନ୍ୟୁଜ) : ଦୁନିଆରେ କେତେ କେତେ ଦୁଃଖ ଅଛି ତାକୁ କଳ୍ପନା କରିବା ମୁସ୍କିଲ । କେଉଁଠି ମଣିଷ ବୃଦ୍ଧାବସ୍ଥାରେ ତ ଆଉ କେଉଁଠି ଯୁବାବସ୍ଥାରେ ସଂଘର୍ଷ କରୁଛି ଜୀଇଁବା ପାଇଁ । ହେଲେ ଏଠି ସଂଘର୍ଷ କରୁଛି ଶୈଶବ। ମାର ମୃତ୍ୟୃ ପରେ ବାପା ଏମାନଙ୍କୁ ଛାଡି କେଉଁ ଆଡେ ଚାଲିଗେଲ। ତେଣୁ ବାପା ଥାଇ ବି ଅନାଥ ହୋଇଗଲେ ଏହି ୪ ଜଣ ଶିଶୁ। କିଏ ତାଙ୍କୁ ସାହାରା ଦେବ, କାହା ପାଖରେ ରହିବେ ସେହି ଚିନ୍ତା ଘାରିଛି ଏମାନଙ୍କୁ।

ମାଲକାନାଗିରି ଜିଲ୍ଲା କୁଲାପାଲି ଗାଁ। ମାଆ ଚନ୍ଦ୍ରମା କୁଲା ରୋଗରେ ପଡ଼ିବା ପରେ ଚାରି ବର୍ଷ ତଳେ ଆରପାରିକୁ ଚାଲିଗଲେ। ଆଉ ମା ମରିବାର ବର୍ଷେ ପରେ ବାପା ସେମାନଙ୍କୁ ଛାଡ଼ି କୁଆଡ଼େ ପଳାଇଲେ ଯେ ଆଉ ତାଙ୍କର କିଛି ପତ୍ତା ନାହିଁ । ଏତେ କମ୍ ବୟସରେ ଜୀବନ କଣ ଦୁନିଆ କଣ ଭଲଭାବେ ବୁଝିନଥିବା ଏହି ଶିଶୁ ହୋଇଗଲେ ପୂରାପୂରି ନିରାଶ୍ରୟ।

ଗଲା ତିନି ବର୍ଷ ଧରି ଏହି ଚାରି ଶିଶୁଙ୍କ ଅବସ୍ଥା କଣ ହେଉଥିବ ଆପଣମାନେ ଅନୁମାନ କରି ପାରୁଥିବେ ଦର୍ଶକ ବନ୍ଧୁ । କେବଳ ସଂପର୍କୀୟ ଏବଂ ଗାଁ ଲୋକଙ୍କ ସହାୟତାରେ ଜିଲ୍ଲାର ବିଭିନ୍ନ ଆଦିବାସୀ ହଷ୍ଟେଲଗୁଡିକରେ ପାଠ ପଢ଼ିବା ପାଇଁ ଭର୍ତ୍ତି ହେଲେ। ହଷ୍ଟେଲରେ ସରକରଙ୍କ ତରଫରୁ ମିଳୁଥିବା ମାଗଣା ଖାଇବା ଓ ରହିବା ସହ ପାଠ ପଢି ଆସୁଥିଲେ। କିନ୍ତୁ ମହାମାରୀ କରୋନା ଆସିବା ପରେ ହଷ୍ଟେଲଗୁଡିକ ବନ୍ଦ ହୋଇଯାଇଛି।

ଏହି ଚାରି ଶିଶୁ ଏବେ ବଡ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି। ଚାରି ଶିଶୁଙ୍କ ମଧ୍ୟରୁ ବଡ ପୁଅ ଭୀମା ୧୫ ବର୍ଷର । ଭଉଣୀ ବାସନ୍ତୀକୁ ୧୩ ଓ ସାନ ଭଉଣୀ ସବିତାକୁ ୧୧ ବର୍ଷ । ଏମାନଙ୍କ ସାନ ଭାଇ ଶିବର ବୟସ ହେଉଛି ୯ ବର୍ଷ। ସେପଟେ ବଡବାପାଙ୍କର ହେଉଛନ୍ତି ୫ଟି ପୁଅ ଝିଅ । ଏମାନଙ୍କ ସାଙ୍ଗକୁ ଏହି ଅନାଥ ଚାରି ଜଣ ମିଶି ପରିବାରରେ ପ୍ରାୟ ୧୨ ଜଣ ସଦସ୍ଯ ଅଛନ୍ତି। ଏସମସ୍ତଙ୍କ ପେଟକୁ ଗଣ୍ଡେ ଲେଖାଏଁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇ ପଡୁଛି ବଡ଼ବାପାଙ୍କ ପାଇଁ ।

ସରକାରୀ ସାହାଯ୍ଯ କହିଲେ ମାତ୍ର ୨୦ କିଲୋ ଚାଉଳ ମିଳୁଛି ଏହି ଚାରି ଜଣ ଭାଇ ଭଉଣୀଙ୍କୁ। ଏଭଳି ସ୍ଥିତିରେ ଏମାନଙ୍କ ଭବିଷ୍ଯତ ଅନ୍ଧାରକୁ ଠେଲି ହୋଇଯାଇଛି। ପାଠ ପଢି ନିଜର ଦୁଃଖ ଦୂର କରିବା ପାଇଁ ଭାଇଭଉଣୀମାନେ ଚେଷ୍ଟା କରୁଥିଲେ ମଧ୍ୟ କରୋନା ଏମାନଙ୍କର ବାଟ ଓଗାଳୁଛି। ସରକାର କିମ୍ବା ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିଲେ ଏହି ପିଲାମାନଙ୍କ ଭବିଷ୍ଯତରେ ଆଲୋକ ସଂଚାର ହୋଇପାରନ୍ତା ।

PASS BOOK

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.