ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି, ବିନା ଭକ୍ତରେ ହେବ ଯାତ୍ରା

ଭୁବନେଶ୍ବର(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ କାଲି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମଧ୍ୟ ଚନ୍ଦନ ଯାତ୍ରା। ସୁସଜ୍ଜିତ ପାଲିଙ୍କିରେ ମହାପ୍ରଭୁ ଲିଙ୍ଗରାଜ ଚାପ ଖେଳିବେ । ଲିଙ୍ଗରାଜ ପ୍ରଭୁଙ୍କ ସହ ମାତା ପାର୍ବତୀ, ମାତା ରୁକ୍ମିଣୀ, ବାସୁଦେବ ମଧ୍ୟ ରହିବେ। ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଥର କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ ଯାତ୍ରା । ୧୫ ଜଣ ସେବାୟତଙ୍କୁ ନେଇ ନିରାଡମ୍ବରରେ ଚାପ ଖେଳିବେ ମହାପ୍ରଭୁ।

ମନ୍ଦିର ପ୍ରଶାସନ ପକ୍ଷରୁ ବିଏମ୍‌ସିକୁ ୧୫ ଜଣ ସେବାୟତଙ୍କ ନାମ ଦିଆଯାଇଛି। ସେମାନଙ୍କ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ଆସିବା ପରେ ଚାପ ଖେଳ ପାଇଁ ଅନୁମତି ଦିଆଯିବ। ଡଙ୍ଗାକୁ ସାନିଟାଇଜ୍‌ କରାଯିବା ସହ ଚାପ ଖେଳ ସମୟରେ ସେବାୟତ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ। ଯାତ୍ରା ସମୟରେ ବାଣ ଓ ପାଣିକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। କେବଳ ନୀତି କାନ୍ତିରେ ମହାପ୍ରଭୁଙ୍କ ଚାପ ଖେଳ ୨୨ ଦିନ ପର୍ଯ୍ୟନ୍ତ ଚାଲିବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.