ଚିତି ସାପ କାମୁଡ଼ିରେ ମରିଛି ସିଂହୀ ଗଙ୍ଗା, ଚିକିତ୍ସା ବେଳେ ବୁଜିଲା ଆଖି

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ ହୋଇଛି।ସର୍ପଦଶଂନରେ ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ସିଂହୀଟିକୁ ଚିତି ସାପ କାମୁଡ଼ି ଥିଲା। ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନନ୍ଦନକାନନରେ ସିଂହ ସଂଖ୍ୟା ବର୍ତ୍ତମାନ ୧୬ କୁ ହ୍ରାସ ପାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସିଂହୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିଡିଆଖାନାର ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି।

ମୃତ ସିଂହୀର ନାମ ଗଙ୍ଗା ଓ ତାର ବୟସ ୧୫ ବର୍ଷ ଥିଲା। ଗଙ୍ଗା, ନନ୍ଦନକାନନ ଖୁଆଡ଼ ନଂ ୩୦(ଖ)ରେ ରହୁଥିଲା। ଶୁକ୍ରବାର ହଠାତ ସେ ଅସୁସ୍ଥ ହୋଇଥିଲା। ଗଙ୍ଗା ରହୁଥିବା ଖୁଆଡରେ ଏକ ଚିତି ସାପ ଦେଖିବାକୁ ମିଳିଥିଲା। ସିଂହୀର ପାଣି ପିଇବାକୁ ତିଆରି କୁଣ୍ଡର ନାଳରେ ସାପଟି ଥିଲା। ତେଣୁ ସେହି ସାପ କାମୁଡିବାରୁ ଗଙ୍ଗା ଅସୁସ୍ଥ ହୋଇଥିବା ସନ୍ଦେହ କରି ତାର ଚିକିତ୍ସା କରାଯାଉଥିଲା ।