ବାଲିଯାତ୍ରା ପ୍ଲଟ ଆବଣ୍ଟନକୁ ନେଇ ହାଇକୋର୍ଟରେ ମାମଲା ରୁଜ୍ଜୁ, ହଜାରେ ଟଙ୍କାରେ ମଧୁମଞ୍ଚକୁ ପ୍ଲଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ଐତିହାସିକ ବାଲିଯାତ୍ରାର ପ୍ଲଟ ଆବଣ୍ଟନକୁ ନେଇ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଉତ୍କଳ ସମ୍ମିଳନୀ ମଧୁ ମଞ୍ଚ ପକ୍ଷରୁ ଏହି ମାମଲା ରୁଜ୍ଜୁ ହୋଇଥିଲା। ମାତ୍ର ଏକ ହଜାର ଟଙ୍କାର ଟୋକନ ମନି ନେଇ ମଧୁମଞ୍ଚକୁ ପ୍ଲଟ ଦେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ଷ ବର୍ଷ ଧରି ବିନା ମୁଲ୍ୟରେ ବାଲିଯାତ୍ରା ତଳ ପଡ଼ିଆରେ ପ୍ଲଟ ପାଉଛି ମଧୁମଞ୍ଚ। ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆ ପ୍ରଶସ୍ତ ହୋଇଥିବା ବେଳେ ମଧୁ ମଞ୍ଚକୁ ପ୍ଲଟ ପାଇଁ ଟଙ୍କା ଜମା ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା।s

ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅପରାହ୍ନ ୨ ଟାରେ କଟକ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହେବା ସହିତ କାହାକୁ କାହାକୁ ବିନା ମୂଲ୍ୟରେ ପ୍ଲଟ ଆବଣ୍ଟନ ହେଉଛି ସେ ସମ୍ପର୍କରେ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନରେ ଜିଲ୍ଲାପାଳ ହାଜର ହୋଇ ଏନଏନଏସ, ହେଲଥ କ୍ୟାମ୍ପ ଭଳି କାର୍ଯ୍ୟ ପାଇଁ ପ୍ଲଟ ମାଗଣାରେ ଯୋଗାଇ ଦେଉଥିବା ସତ୍ୟପାଠରେ କହିଥିଲେ। ଏକ ଘରୋଇ ବିଶ୍ୱ ବିଦ୍ୟାଳୟକୁ ମାଗଣାରେ ମଧ୍ୟ ବାଲିଯାତ୍ରାରେ ପ୍ଲଟ ଦିଆଯାଉଥିବା ଉଲ୍ଲେଖ କରିଥିଲେ।

ଉତ୍କଳ ସମ୍ମିଳନୀ ମଧୁ ମଞ୍ଚ ମଧୁ ବାବୁଙ୍କ ନାମରେ ହୋଇଛି ଏବଂ ଏହା କୌଣସି ଲାଭଜନକ ସଂସ୍ଥା ନୁହେଁ ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ରଖିଥିଲେ। ଏହାପରେ ଉତ୍କଳ ସମ୍ମିଳନୀ ମଧୁ ମଞ୍ଚକୁ ମାତ୍ର ଏକ ହଜାର ଟଙ୍କାରେ ଏହି ପ୍ଲଟ ଯୋଗାଇ ଦେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।