ସୁବର୍ଣ୍ଣରେଖା ନଦୀର ଉଚ୍ଚସ୍ତରୀୟ ସେତୁ ପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ଅଞ୍ଚଳବାସୀ ଖୁସି, ବାଲେଶ୍ଵରରୁ ଭୋଗରାଇକୁ କମିବ ୩୫କିମି ଦୂରତା

ବାଲେଶ୍ଵର: ସୁବର୍ଣ୍ଣରେଖା ନଦୀର ପନ୍ତେଇଠାରେ ଉଚ୍ଚସ୍ତରୀୟ ସେତୁ ର୍ନିମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକେ ବହୁ ଦିନ ହେବ ଏହି ସେତୁ ପାଇଁ ଦାବି କରି ଆସୁଥିଲେ। ନଦୀ ଉପରେ ବ୍ରିଜଟିଏ ନଥିବାରୁ ପ୍ରତିଦିନ ହଜାର ହଜାର ଲୋକେ ଡଙ୍ଗା ସାହାଯ୍ୟରେ ବିପଦଶଙ୍କୁଳ ଅବସ୍ଥାରେ ନଦୀ ପାରି ହେଉଥିଲେ। ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା।

ଏବେ ବାଲିଆପାଳ ବ୍ଲକର ଜାମକୁଣ୍ଡା ଓ ଭୋଗରାଇ ବ୍ଲକର ଅଡଙ୍ଗାପନ୍ତେଇ ମଧ୍ୟରେ ଏହି ଉଚ୍ଚସ୍ତରୀୟ ସେତୁ ର୍ନିମାଣ ହେବ। ଏହି ସେତୁ ର୍ନିମାଣ ହେଲେ ବାଲେଶ୍ଵର ଜିଲ୍ଲା ସଦର ମହକୁମାରୁ ଭୋଗରାଇକୁ ୩୫ କଲୋମିଟର ଦୂରତା କମିଯିବ। କେବଳ ସେତିକି ନୁହଁ ଭୋଗରାଇ ସମେତ ବାଲିଆପାଳ, ବସ୍ତା , ଜଳେଶ୍ଵର ଏବଂ ସଦର ବ୍ଲକକୁ ଏହି ସେତୁ ଏକ ସରଳ ରେଖାରେ ଯୋଡିବ।

ଧାନ, ପାନ ଓ ମୀନର ଅଞ୍ଚଳ ଭାବେ କୁହାଯାଉଥିବା ଏହି ଅଞ୍ଚଳର ଲକ୍ଷାଧିକ ଚାଷୀ ଓ ମତ୍ସ୍ୟଜୀବୀ ବହୁଳ ଭାବରେ ଉପକୃତ ହେବେ। ଏହି ସେତୁ ର୍ନିମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଲ ଆଣ୍ଡ ଟି କମ୍ପାନୀ ବ୍ରିଜର ର୍ନିମାଣ ଦାୟିତ୍ୱ ନେବ। ୩୦ ମାସ ମଧ୍ୟରେ ସେତୁ ର୍ନିମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.