ଲଘୁଚାପ ନେଇପାରେ ବାତ୍ୟାର ରୂପ ! ୧୬ ତାରିଖ ବେଳକୁ ଅଧିକ ହେବ ଘନୀଭୂତ

ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ପର୍ବାନୁମାନ କରିଛି, ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଲଘୁଚାପ ନେଇପାରେ ବାତ୍ୟାର ରୂପ । ସାଇକ୍ଲୋନିକ ଷ୍ଟର୍ମ ନେଇ ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ । ସେ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହ ଆରମ୍ଭରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ପରବର୍ତ୍ତୀ ସପ୍ତାହ ଶେଷ ଆଡକୁ ହୋଇପାରେ ବାତ୍ୟା । ଉତ୍ତର-ପୂର୍ବ ଭାରତ ଓ ବାଂଲାଦେଶ ଉପକୂଳ ପ୍ରତି ବିପଦ ସୃଷ୍ଟି ପୂର୍ବରୁ ସାମୁଦ୍ରିକ ଝଡ଼ ହୋଇପାରେ ବୋଲି କହିଛନ୍ତି ଜାସନ୍ ନିକୋଲ୍ସ ।

ତେବେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ପର୍ବାନୁମାନ କରିଛି, ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୬ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ସମ୍ଭାବ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୫ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ଜିଲ୍ଲାର କିଛି କିଛି ସ୍ଥାନ ଓ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.