ଶୀତହେବ ଭୟଙ୍କର: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଗାମୀ ୩୬ ଘଣ୍ଟାରେ ଡିପ୍ରେସନରେ ପରିଣତ ହେବ

କେନ୍ୟୁଜ୍(ବ୍ୟୁରୋ):  ପୁଣି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୩୬ ଘଣ୍ଟାରେ ଏହା ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ୧୧ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ।ସେପଟେ ତାମିଲନାଡୁରେ ବର୍ଷା ଜାରି । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସଂପୂର୍ଣ୍ଣ ଜଳମଗ୍ନ ହୋଇପଡିଛି ଚେନ୍ନାଇ ସହର। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିପନ୍ନଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।

ଏପଟେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷାର ସେପରି ସମ୍ଭାବନା ନାହିଁ । କିନ୍ତୁ ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ । ଏବେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ କମ୍‌ ରହୁଛି। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରଭାବରେ ଖସୁଛି ରାତିର ତାପମାତ୍ରା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଧୀରେ ଧୀରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ସମୁଦ୍ରରୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ। ଏହା ଦ୍ୱାରା ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର କିଛି ସ୍ଥାନରେ ସକାଳେ ସକାଳେ ଘନ କୁହୁଡ଼ି ଲାଗି ରହୁଛି । ଶୀତ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ରର ପସରା ମେଲିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.