କଟକ ପାଇଲା ସର୍ବ କନିଷ୍ଠ ଉପାଧ୍ୟକ୍ଷ,ବସ୍ତିର M-Com ଶିକ୍ଷିତା ଝିଅ ହେଲେ ସିଏମସି ଡେପୁଟୀ ମେୟର

କଟକ(କେନ୍ୟୁଜ୍): ବସ୍ତିରୁ କଟକର ଡେପୁଟୀ ମେୟର । କଟକ ମହାନଗର ନିଗମର ନୂଆ ଡେପୁଟୀ ମେୟର ହେଲେ ଦମୟନ୍ତୀ ମାଝୀ । ୨୧ ବର୍ଷୀୟା ଦମୟନ୍ତୀ ହେଉଛନ୍ତି କଟକ ମହାନଗର ନିଗମର ସର୍ବକନିଷ୍ଠା କର୍ପୋରେଟର । ଆଦିବାସୀ ଝିଅ ଦମୟନ୍ତୀ ସିଏମସିର ୪୯ ନମ୍ବର ୱାର୍ଡରୁ ବିଜେଡି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ଏବେ ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌ ଛାତ୍ରୀ । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ଦମୟନ୍ତୀ ଡେପୁଟୀ ମେୟର ଗାଦିରେ ବସିଛନ୍ତି । ଏହାପରେ ସେ କହିଛନ୍ତି, ବସ୍ତିରୁ ଆସିଛି । ବସ୍ତି ସମସ୍ୟା ସବୁ ଜାଣିଛି । ଏସବୁର ସମଧାନ ପାଇଁ ଚେଷ୍ଟା କରିବି । ସହର ଉନ୍ନତି ଦିଗରେ କାମ କରିବି । ରାଜନୀତିରେ ନୂଆ କରି ପାଦ ଦେଇଥିବାରୁ ବହୁତ କିଛି ଶିଖିବାର ଅଛି । ଏଥିସହ ତାଙ୍କ ଉପରେ ଭରସା କରିଥିବାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦମୟନ୍ତୀ ।

ଜଗତପୁର ବାଲିସାହି ବସ୍ତିରେ ରହୁଥିବା ଏହି ଆଦିବାସୀ ଯୁବତୀ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ଦମୟନ୍ତୀ  ସିଏମସିର ସର୍ବକନିଷ୍ଠ କର୍ପୋରେଟର ଭାବେ ନିର୍ବାଚନ ଜିତିଥିଲେ। ଦମୟନ୍ତି ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି।ସେ ଜଣେ ମେଧାବୀ ଛାତ୍ରୀ। ଦମୟନ୍ତୀ ପିଲାଟି ଦିନରୁ ନିଜ ପରିବାର ସହ ମହାନଦୀ ତଟରେ ଥିବା ଜଗତପୁର ଶିଳ୍ପାଞ୍ଚଳରେ ଥିବା ବାଲିସାହି ବସ୍ତିରେ ରହି ଆସୁଛନ୍ତି। ବାପା ଚାଲିଯିବା ପରେ ବିଧବା ମା’ ଦିନ ମଜୁରି ଲାଗି ଯେତିକି ରୋଜଗାର କରନ୍ତି ସେତିକିରେ ଘରର ଗୁଜୁରାଣ ମେଣ୍ଟିବା ସହ ତିନି ଭାଇ ଭଉଣୀଙ୍କ ପେଟ ପୋଷା ହୁଏ। ଘର କହିଲେ ମୁଣ୍ଡ ଉପରେ କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟ ଛଡ଼ା ଆଉ କିଛି ନୁହେଁ। ପଙ୍କରୁ ପଦ୍ମଫୁଟିବା ପରି ନିଜର ଇଚ୍ଛା ଶକ୍ତି ଯୋଗୁଁ ଶିକ୍ଷା ଗ୍ରହଣର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଦମୟନ୍ତୀ ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଅଧ୍ୟୟନକୁ ଶେଷ କରିବାକୁ ଯାଉଛନ୍ତି।

ଯେତେବେଳେ ସିଏମସିର ଡେପୁଟି ମେୟର ରେସରେ ଥିବା କର୍ପୋରେଟରଙ୍କ ମଧ୍ୟରେ ଦମୟନ୍ତୀଙ୍କ ନାଁ ଆସିଥିଲା ସେତେବେଳେ ବାଲିସାହି ବସ୍ତିରେ ରହୁଥିବା ୨୧ ବର୍ଷିୟା ଏହି ଯୁବତୀଙ୍କୁ ନେଇ  କଟକ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଟିଥିଲା। ତେବେ ୪୯ ନମ୍ବର ୱାର୍ଡକୁ ପ୍ରତିନିଧିତ୍ବ କରୁଥିବା ଦମୟନ୍ତୀ ସହରର ବସ୍ତିବାସିନ୍ଦାଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଦମୟନ୍ତୀ ମଧ୍ୟ ଡେପୁଟି ମେୟର ହେବାପରେ କଟକ ସହରର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି। ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଜନସେବା କରିବା ପାଇଁ ରାଜନୀତିକୁ ଆସିଛି। ମୋର କାର୍ଯ୍ୟକାଳ ଭିତରେ ମୁଁ କଟକ ବାସିନ୍ଦାଙ୍କ ଯେତେ ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେଥିପାଇଁ ନିରନ୍ତର ଚେଷ୍ଟା କରିବି ବୋଲି କହିଛନ୍ତି ଦମୟନ୍ତୀ ମାଝୀ।

ଅନ୍ୟପଟେ  ଡେପୁଟି ମେୟର ନିର୍ବାଚିତ ହେବା ଦମୟନ୍ତୀ ଏବେ ନୂଆ ପରିଚୟ ପାଇଛନ୍ତି। କିଛି ଦିନ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ସେ ନିଜ ଅଞ୍ଚଳରେ ପରିଚିତ ଥିଲେ। କିନ୍ତୁ ସେ ପାଲଟି ଯାଇଛନ୍ତି ସିଏମସିର ୪୯ ୱାର୍ଡର ନିର୍ବାଚିତ କର୍ପୋରେଟର ଆଉ ଏବେ କଟକ ମହାନଗର ନିଗମର ଡେପୁଟି ମେୟର । ଜଣେ ମେଧାବୀ ଛାତ୍ରୀ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଖ୍ୟାତି ଲାଭ କରିଥିବା ଦମୟନ୍ତୀଙ୍କ ଏହି ସଫଳାତାକୁ ନେଇ ସହପାଠୀମାନଙ୍କ ଠାରୁ ନେଇ ଅଧ୍ୟାପକ ଅଧ୍ୟାପିକାମାନେ ବେଶ ଖୁସି ପ୍ରକାଶ କରିଛନ୍ତି। କାରଣ ପ୍ରଥମ ଥର ଲାଗି ରେଭେନ୍ସା ବିଶ୍ବବିଦ୍ୟାଳୟର କୌଣସି ଛାତ୍ରୀ ଅଧ୍ୟୟନ ସମୟରେ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.