ସମର୍ପଣ ମନୋଭାବ ନେଇ ରଥଯାତ୍ରାକୁ ସଫଳ କରିବା: ଭିଡିଓ କନଫରେନ୍‌ସିଂରେ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଦେଶବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ଭଲ ମନୋଭାବ ନେଇ ଫେରିବେ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ଦରକାର । ଏଥିପାଇଁ ସମସ୍ତେ ସମର୍ପଣ ମନୋଭାବ ନେଇ ରଥଯାତ୍ରାକୁ ସଫଳ କରିବାକୁ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଭିଡିଓ କନଫରେନ୍‌ସିଂରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ପୁରୀ(କେନ୍ୟୁଜ୍): ମହାପ୍ରଭୁ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଠିକ୍‌ ସମୟରେ ମହାପ୍ରଭୁଙ୍କ ନୀତି ପାଳନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ସମନ୍ଵୟ ବୈଠକରେ ଭିଡିଓକନଫରେନ୍‌ସିଂରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉଚିତ । ସେହିପରି ଏବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ପାନୀୟ ଜଳ, ଗମନାଗମନ, ବିଦ୍ୟୁତ ସରବରାହ, ସ୍ୱାସ୍ଥ୍ୟ, ପରିମଳ ଓ ସୁରକ୍ଷା ଉପରେ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି ।

ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଛି । ଶୃଙ୍ଖଳିତ ରଥଯାତ୍ରା ଓଡ଼ିଶା ପୋଲିସ ପାଇଁ ବଡ଼ ଆହ୍ଵାନ । ରଥଯାତ୍ରା ସମୟରେ ପୁରୀରେ ୧୬୦ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ଖରାକୁ ଦୃଷ୍ଟିରେ ରଖି ଜଳସିଞ୍ଚନର ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯାଇଛି । ରଥଯାତ୍ରା ପାଇଁ ପ୍ରତି ବିଭାଗ ନିଜ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ୨୦ ତାରିଖରେ ଭକ୍ତଙ୍କ ଗହଣରେ ପୁରୀ ବଡ଼ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.