ମାଲକାନଗିରି: ମାଓବାଦୀଙ୍କୁ ହତ୍ୟା କଲେ ଗାଁ ଲୋକ,ପ୍ରତିଶୋଧ ପରାୟଣ ହୋଇ ଗାଁ ଲୋକଙ୍କ ଘର ଜାଳିଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓବାଦୀ-ଗ୍ରାମବାସୀ ମୁହାଁମୁହିଁ । ମାଓବାଦୀଙ୍କୁ ହତ୍ୟା କଲେ ଗାଁ ଲୋକ। ପ୍ରତିଶୋଧ ପରାୟଣ ହୋଇ ଗାଁ ଲୋକଙ୍କ ଘର ଜାଳିଦେଲେ ମାଓବାଦୀ। ଘଟଣା ଘଟିଛି ମାଲକାନଗିରି ଜନ୍ତୁରାଇ ଗାଁରେ। ଜଣେ ମାଓବାଦୀକୁ ଢେଲାପଥର ମାଡ଼ କରି ମାରିଦେଇଛନ୍ତି ଗାଁଲୋକେ । ଗତକାଲି ରାତିରେ କିଛି ମାଓବାଦୀ ଗାଁକୁ ଆସିଥିଲେ । ଉନ୍ନୟନମୂଳକ କାମକୁ ବିରୋଧ କରିଥିଲେ । ଏହାକୁ ନେଇ ଗାଁଲୋକଙ୍କ ସହ ମାଓବାଦୀଙ୍କ ବଚସା ହୋଇଥିଲା । ମାଓବାଦୀମାନେ ଗୁଳିମାଡ଼ କରିବାରୁ ଗାଁଲୋକେ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରରେ ମାଓବାଦୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଘଟଣାସ୍ଥଳରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିଲା। ମୃତ ମାଓବାଦୀର ନାଁ ଆଡମା। ତା ନାଁରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର। ଗାଁ ଲୋକଙ୍କ ଆକ୍ରମଣରେ ଅନ୍ୟ ଜଣେ ମାଓବାଦୀ ଆହତ ହୋଇଥିଲା।

maoist

ଆହତ ମାଓବାଦୀ ଜିପ୍ରୁ ନାଁରେ ଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର। ଗାଁଲୋକେ ହାନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପରେ ଆହତ ମାଓବାଦୀକୁ ହସ୍ତାନ୍ତର କରିଥିଲେ । ଗୁରୁତର ମାଓବାଦୀକୁ ମାଲକାନଗିରି ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଉଛି। ମାଓବାଦୀର ମୃତଦେହକୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି । ଅନ୍ୟପଟେ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀମାନେ ଜୋଡାଆମ୍ବ ଗାଁରେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗାଁ ଲୋକଙ୍କର କିଛି ଘର ଜାଳି ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ବିଏସ୍‌ଏଫ୍‌ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । କିଛି ଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ ହୋଇଥିଲା । ଯାହାକୁ ବିରୋଧ କରିଥିଲେ ମାଓବାଦୀ । ଅନ୍ୟପଟେ ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବା ସହ ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.