ସାବଧାନ: କଳିଙ୍ଗନଗର ରାସ୍ତାରେ ଖଣ୍ଡା ଧରି ବୁଲୁଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ, ଅନ୍ଧାର ହେଲେ ଲୁଟ୍ ପାଇଁ କରୁଛନ୍ତି ଆକ୍ରମଣ

ଯାଜପୁର ରୋଡ଼(କେନ୍ୟୁଜ୍): ଶିଳ୍ପନଗରୀ କଳିଙ୍ଗନଗରରେ ମାତିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ଅନ୍ଧାର ହେଲେ ହାତରେ ଖଣ୍ଡାଧରି ଚାଲିଆସୁଛନ୍ତି ରାଜରାସ୍ତାକୁ । ସୁଯୋଗ ମିଳିଲେ ଲୁଟ୍ ପାଇଁ କରୁଛନ୍ତି ଆକ୍ରମଣ । ଜଣେ କି ଦୁଇଜଣ ନୁହେଁ ୪-୫ଜଣ ସଂଘବଦ୍ଧ ଦୁର୍ବୃତ୍ତ ରାଜପଥରେ ଆତଙ୍କରାଜ କରୁଛନ୍ତି । ରାଜପଥରେ ଯାଉଥିବା କାର ହେଉ କି ବାଇକ୍‌କୁ ଅଟକାଇ ଲୁଟପାଟ୍ କରୁଛନ୍ତି । ଦୁର୍ବୃତ୍ତ ଅନ୍ଧାର ଏବଂ ନିଛାଟିଆ ସ୍ଥାନକୁ ବାଛି ନେଇ କିଛିଦିନ ହେଲା ଅନେକଙ୍କୁ ଲୁଟ୍ କରିଥିବାର ଖବର ଆସୁଛି । ବିଶେଷ କରି ରାତି ୧୧ଟା ପରେ ମୁହଁକୁ ଆବଦ୍ଧ କରି ଦୁର୍ବୃତ୍ତ ରାଜରାସ୍ତାକୁ ଚାଲିଆସୁଛନ୍ତି । ରାତି ସମୟରେ ବିଭିନ୍ନ ଦିଗକୁ ଯାଉଥିବା କାର୍ ଏବଂ ବାଇକ୍‌କୁ ଅଟକାଇ ଲୁଟ କରୁଛନ୍ତି ।jajpur

ଦୁଇଦିନ ତଳେ ଅର୍ଥାତ ଗୁରୁବାର ରାତି ପ୍ରାୟ ୧.୩୦ ସମୟରେ ଏକ କାରଖାନାର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ୪ ଚକିଆ ଗାଡ଼ିକୁ ଆଗରୁ ଆଡ୍ଡା ପକାଇଥିଲେ ଦୁର୍ବୃତ୍ତ । ଗାଡ଼ିର ଚାଳକ କିଛିଦୂରରେ ହାତରେ ଖଣ୍ଡା ଧରିଥିବା ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଦେଖିବା ପରେ ବ୍ରେକ୍ ମାରି ଅଟକି ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ଗାଡ଼ି ଆଗକୁ ଲାଇଟ୍ ପକାଇ ମାଡ଼ି ଆସିଥିଲେ । ଗାଡ଼ି ଚାଳକ ଗାଡ଼ିକୁ ପିଛା କରି କରି ଦୃତଗତିରେ ପଳାଇ ଆସିଥିବା ବେଳେ ୪-୫ଜଣ ଦୁର୍ବୃତ୍ତ ପିଛା କରିଥିଲେ । ଏହାର ଫଟୋ ଚିତ୍ର ଗାଡ଼ିରେ ଥିବା ଆଗ ଏବଂ ପଛ କ୍ୟାମେରାରେ ଉତ୍ତୋଳନ ହୋଇଥିଲା । କେବଳ ଏହି ଗାଡ଼ି ନୁହେଁ, ବାଇକ୍‌କୁ ଅଟକାଇ ଦୁର୍ବୃତ୍ତ ମୋବାଇଲ ଲୁଟି ନେଉଥିବା ବେଳେ କେତେକଙ୍କ ଠାରୁ ଟଙ୍କା ଝାମ୍ଫି ନେଇଥିବାର ଅଭିଯୋଗ ହେଉଛି । ଏନେଇ କଳିଙ୍ଗନଗର ଥାନାରେ ଏକ ଅଭିଯୋଗ ହୋଇଥିବାର ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

 

ଏଭଳି ଘଟାଣା କଳିଙ୍ଗନଗର ଶିଳ୍ପନଗର ସହ ଯୋଡ଼ି ହୋଇଥିବା ବିଭିନ୍ନ  ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା ବେଳେ ଲୋକଙ୍କୁ ଦୁର୍ବୃତ୍ତଙ୍କ ଠାରୁ ସତର୍କ ରହିବାକୁ ସଚେତନ କରାଯାଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ବିଭିନ୍ନ କାରଖାନାରୁ ଯାଉଥିବା କର୍ମଚାରୀଙ୍କୁ ଟାର୍ଗେଟ କରୁଥିବାର କୁହାଯାଉଛି । କିଛିଦିନ ତଳେ ଯାଉଥିବା ଏକ କାରକୁ ଅଟକାଇ ଭାଙ୍ଗି ଦେଇଥିଲେ । ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାତିଥିବା ଦୁର୍ବୃତ୍ତଙ୍କୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.