ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍‌

ନୟାପଲ୍ଲୀ ଜମି ଜବର ଦଖଲ ଘଟଣା। ଜମି ଦଲାଲ ରାଘବ ଜେନା କୁ ଗିରଫ କଲା ସ୍ପେଶାଲ ସ୍କୁଆର୍ଡ। ପୁରୀ ଜିଲ୍ଲାରେ ଏକ ପରିତ୍ୟକ୍ତ ଘରେ ଲୁଚିଥିଲା ରାଘବ। ତାକୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଜମି ପଜେସନ୍‌ ଗ୍ୟାଙ୍ଗର କିଙ୍ଗପିନ୍‌ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍‌ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ ସହଯୋଗୀକୁ ବି ଗିରଫ କରାଯାଇଛି । ପୁରୀ ଜିଲ୍ଲାର ଏକ ପରିତ୍ୟକ୍ତ ଘରେ ଲୁଚିଥିବା ବେଳେ ପୋଲିସ ଟିମ୍‌ ତାକୁ ମାଡି ବସିଥିଲେ ।

ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ଜମି ଦଖଲ ପାଇଁ ଭୁବନେଶ୍ୱର ନୟାପଲ୍ଲୀରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ତାପରଠୁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା ରାଘବ । ତାର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଟ୍ରାକ୍‌ କରିବା ଅସମ୍ଭବ ଥିଲା । ରାଘବର ସମ୍ପର୍କୀୟ ଓ ସବୁ ସହଯୋଗୀଙ୍କ ମୋବାଇଲ୍‌କୁ ଟ୍ରାକ୍‌ରେ ପକାଇଥିଲା ପୋଲିସ ଟିମ୍‌ । ସେଥିରୁ ପୋଲିସକୁ ରାଘବ ଲୁଚିଥିବା ସ୍ଥାନର ସୂଚନା ମିଳିଥିଲା । ଏହାପରେ ସେଠାରେ ପହଞ୍ଚିଥିଲା ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାଡ୍‌ । ବନ୍ଧୁକ ଦେଖାଇ ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ରାଘବ । ତାକୁ ଧରିବା ପାଇଁ ୩ଟି ସ୍ପେଶାଲ ଟିମ୍‌ ମାସେରୁ ଅଧିକ ସମୟ ହେବ ବିଭିନ୍ନ ସ୍ଥାନରେ ତଢ଼ାଉ ଜାରି ରଖିଥିଲା ।

ରାଜଧାନୀରେ ବିବାଦୀୟ ପ୍ଲଟ୍‌ ଓ ଘରକୁ ବାଉନସର ଲଗାଇ ରାତାରାତି ଭାଙ୍ଗୁଥିଲା ରାଘବ ଜେନା । ବାଉନସରଙ୍କୁ ନେଇ ଗ୍ୟାଙ୍ଗ ଗଢ଼ିଥିଲା । ମାର୍ଚ୍ଚ ମାସରେ ନୟାପଲ୍ଲୀ ଅଞ୍ଚଳରେ ଦୁଇଟି ଦୋକାନକୁ ଶତାଧିକ ବାଉନ୍‌ସର ଲଗାଇ ଭାଙ୍ଗି ଦେଇଥିଲା ରାଘବ । ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ୧୯ ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.