Below header

ଏଇ ରାଜଧାନୀରେ : ବୁଦା ମୂଳେ ଜନ୍ମ ନେଲା ଅବୋଧ ଶିଶୁ, ପାଗଳି ମା ଏବେ ମାନସିକ ଚିକିତ୍ସାଳୟରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବୁଦା ମୂଳରେ ଚେତା ହରାଇ ପଡ଼ି ରହିଥିଲା ସ୍ତ୍ରୀଲୋକଟିଏ । ମହିଳାଙ୍କ ପାଖରେ ଭୂଇଁରେ ଶୋଇଥିଲା ନବଜାତ ଶିଶୁପୁତ୍ର । ଜଣେ ସ୍ଥାନୀୟ ଯୁବକ ପିଲାଟିର କାନ୍ଦ ଶୁଣି ସମସ୍ତଙ୍କୁ ଖବର ଦେବା ପରେ ଘଟଣା ଦେଖିବାକୁ ଗାଁ ଲୋକେ ସମସ୍ତେ ଏକାଠି ହୋଇଗଲେ । ଗାଁର ଜଣେ ମହିଳା ବାଲିରେ ଗଡୁଥିବା ପିଲାଟିକୁ ଆଣି ଧୁଆପୋଛା କରି ତାକୁ ଲୁଗାରେ ଗୁଡ଼ାଇ ଦେଇଥିଲେ । ପିଲାର ମା’କୁ ହୋସ୍‌କୁ ଆଣି କିଛି ଖାଇବାକୁ ଦେଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଡକାଇ ମା ଓ ପିଲାକୁ ଛଅ ନମ୍ବର କ୍ୟାପିଟାଲ ହସପିଟାଲ ପଠାଇ ଦେଇଥିଲେ ।

raja_photo
ଗତ ଗଣେଶ ପୂଜା ଦିନ ସମସ୍ତେ ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନାରେ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟ ଭଗବାନପୁରଠାରେ ଘଟିଥିଲା ଏହି ଘଟଣା । ପାଗଳି ମା’ ପିଲାଟିକୁ ଜନ୍ମ ଦେଇଥିଲା ସେହି ଗାଁ ମୁଣ୍ଡ ବୁଦା ମୂଳେ । ହେଲେ ସେ ନିଜେ କିଛି ବି ଜାଣିନି । ତାର ମୁଣ୍ଡ ଠିକ୍‌ ନଥିବାରୁ ତାକୁ କ୍ୟାପିଟାଲ ହସପିଟାଲରୁ ନେଇ ଏକ ମାନସିକ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି ।

raja11
ସ୍ଥାନୀୟ ଲୋକଙ୍କ ଠାରୁ ଯାହା ଜଣାପଡ଼ିଛି, ମହିଳା ଜଣକ ଫନି ବାତ୍ୟା ପରେ ଏହି ଅଞ୍ଚଳରେ ଏଣେତେଣେ ବୁଲୁଥିଲେ । ଯିଏ ଯାହା ଦିଏ ଖାଇଦିଏ । କେହି ତାର ପରିଚୟ ଜାଣି ନାହାନ୍ତି । ତେବେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଜଣେ ମାନସିକ ଭିନ୍ନକ୍ଷମ ମହିଳା ହୋଇଥିବାରୁ କେହି ତାଙ୍କ ସହ କୁକାର୍ଯ୍ୟ କରି ତାଙ୍କୁ ଗର୍ଭବତୀ କରି ଦେଇଛନ୍ତି । ଆଉ ସେ ମା ହେବାକୁ ବାଧ୍ୟ ହୋଇଛନ୍ତି । ଯିଏ ନିଜର ପରିଚୟ କଣ ଜାଣି ନାହିଁ ସେ ନିଜ ଜନ୍ମ କଲା ପିଲାକୁ ବା କେମିତି ଚିହ୍ନିବ । ହେଲେ ସେଇ ମହିଳା ଜଣକ ନା ନିଜକୁ ଚିହ୍ନିବାକୁ ସକ୍ଷମ ନା ପିଲାକୁ । ଏଭଳି ଜଣେ ଦୁଃଖିନୀଙ୍କ ପ୍ରତି ଅସଦାଚରଣ କରିଥିବା ବ୍ୟକ୍ତିକୁ ହୁଏତ ଚିହ୍ନଟ କରିବା ସମ୍ଭବ ହେବ ନାହିଁ । ହେଲେ ଏଭଳି ପାପୀଙ୍କୁ ଶାସ୍ତି ଦେବେ ସେହି ଈଶ୍ୱର । ଏବେ କିନ୍ତୁ ଉଭୟ ମହିଳା ଓ ତାଙ୍କ ଶିଶୁପୁତ୍ରର ଥଇଥାନ ହେଉଛି ବଡ଼ ପ୍ରସଙ୍ଗ ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.