ରଜ ପର୍ବରେ ଅଘଟଣ, ପୋଖରୀରେ ବୁଡି ନାବଳିକାର ମୃତ୍ୟୁ

ଯାଜପୁର(କେନ୍ୟୁଜ):ଶେଷ ରଜରେ ଅଘଟଣ। ପୋଖରୀରେ ଗାଧୋଉଥିବା ସମୟରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ। ସୂଚନା ମୁତାବକ, ଆରୁହା ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲିମା ସେଠୀ (୧୪) ଆଜି ସାଙ୍ଗ ମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ।

ଏହାଦେଖି ସ୍ଥାନୀୟ ଲୋକେ ପୋଖରୀରେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ସଂଗେସଂଗେ ନାବାଳିକାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।