ଆଧୁନିକ ଯୁଗରେ ବି ଚାଲିଛି ଏହି ପରମ୍ପରା: ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହ କରାଯାଇଛି କୁକୁରର ବିବାହ

କାମାକ୍ଷାନଗର(କେନ୍ଯୁଜ୍): ବିଶ୍ୱାସ, ଅବିଶ୍ଵାସ ଓ ଅନ୍ଧ ବିଶ୍ୱାସ । ଆଜିର ଆଧୁନିକ ଯୁଗରେ ବି ଏମିତି ଅନେକ ରୀତି ନୀତି ପରମ୍ପରା ରହିଛି ଯାହା ସହଜରେ ଗ୍ରହଣ କରିବା ଏତେ ସହଜ ନୁହେଁ। ଏମିତି ଏକ ପରମ୍ପରା ଦେଖିବାକୁ ମିଳିଛି ଏହି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳରେ । ଯେଉଁଠି ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହ କରାଯାଇଛି କୁକୁରର ବିବାହ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର କରଗୋଳା ପଞ୍ଚାୟତ ଅନ୍ତର୍ଗତ ଦେବଗଣ ସାହିରେ ଦେଖିବାକୁ ମିଳିଛି ମଣିଷ ସହ କୁକୁରର ବିବାହ। ଆଦିବାସୀ ସମ୍ପ୍ରଦାୟରେ ଏକ ଶିଶୁକନ୍ଯା ଜନ୍ମ ନେବା ପରେ ଯେବେ ପ୍ରଥମେ ତାର ମାଢ଼ି ଉପରେ ଏକ ଦାନ୍ତ ଉଠେ ତେବେ ତାହା ଅଶୁଭ ବୋଲି ଧରାଯାଇଥାଏ । ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବିବାହ କରାଯାଏ। କୁକୁର ସହିତ ବିବାହ କରାଗଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି ।
ସେହିଭଳି ଯଦି ଶିଶୁପୁତ୍ରର ଉପର ମାଢିରେ ପ୍ରଥମେ ଦାନ୍ତ ଉଠେ ତେବେ ତାକୁ ମାଈ କୁକୁର ସହ ବିବାହ କରିବାର ପରମ୍ପରା ରହିଥିବା କହିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ । ଏହି ବିବାହଟି ଆଦିବାସୀ ରୀତିନୀତିରେ ହୋଇଥାଏ । ଖାଲି ସେତିକି ନୁହେଁ ଭୋଜିଭାତର ଆୟୋଜନ ବି କରାଯାଏ । ଆଦିବାସୀ ମହିଳା ଓ ପୁରୁଷ ମାନେ ନାଚ ଗୀତର ପୁରା ମସଗୁଲ ହୁଅନ୍ତି।ରିଷ୍ଟ ଖଣ୍ଡନ ପାଇଁ ବିବାହ ତା ପୁଣି କୁକୁର ସହ। ସଚେତନତା ଅଭାବରୁ ବର୍ଷବର୍ଷ ଧରି ଚାଲିଆସିଛି ଏମିତି ପରମ୍ପରା। ଯାହା ଆଜିର ଯୁଗରେ ଅନ୍ଧ ବିଶ୍ଵାସର ଅନ୍ଧଗଳି ପରି ମନେ ହେଉଛି।