ହତ୍ଯା କରିବାକୁ ଆସି ବିଫଳ ହେବା ପରେ ଦୁର୍ବୃତ୍ତଙ୍କ ଉପଦ୍ରବ: କାର୍ ଓ କଣ୍ଟେନରରେ ନିଆଁ ଲଗାଇବା ସହ ଲୁଟି ନେଲେ ଦେଢଲକ୍ଷ ଟଙ୍କାର ଜିନିଷ

ଜଳେଶ୍ବର: ହତ୍ଯା କରିବାକୁ ଆସି ବିଫଳ ହେବା ପରେ ଗାଡି ଉପରେ ରାଗ ଶୁଝାଇଲେ। ଗୋଟିଏ କାର ଏବଂ କଣ୍ଟେନରକୁ ନିଆଁ  ଲଗାଇ ଜାଳିଦେବା ସହ ଦେଢଲକ୍ଷ ଟଙ୍କାର ଜିନିଷ ଲୁଟିନେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ।

ସୂଚନା ଅନୁଯାୟୀ, ଏହି ଗ୍ରାମର ସୁବାସ ଭୂୟାଁଙ୍କର ମା କାମଚଣ୍ତି ନାମକ ଏକ ଚିଙ୍ଗୁଡି ଫିଡ୍ କାଉଣ୍ଟର ରହିଛି। କାଉଣ୍ଟରରେ ବ୍ଯବସାୟ ଭଲ ଚାଲୁ ଥିବାରୁ ଦୁର୍ବୃତ୍ତ ମାନଙ୍କର ଟାର୍ଗେଟରେ ରହିଥିଲେ କାଉଣ୍ଟରର ମାଲିକ। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି କାଉଣ୍ଟରରେ ଥିବା କର୍ମଚାରୀ ମାନଙ୍କୁ ହତ୍ଯା କରି ଲୁଟ କରିବା ପାଇଁ ଆସିଥିଲେ। ମାତ୍ର ସେଠାରେ କୌଣସି କର୍ମଚାରୀକୁ ନପାଇ ଦେଢଲକ୍ଷରୁ ଅଧିକ ଟଙ୍କାର ଜିନିଷ ଲୁଟ କରିବା ସହ କାଉଣ୍ଟର ସାମ୍ନାରେ ଛିଡା ହୋଇଥିବା ଗୋଟିଏ କାର ଏବଂ କଣ୍ଟେନରକୁ ଭଙ୍ଗାରୁଜା କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ତେବେ ଏଥିରେ କାରଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯିବା ସହ କଣ୍ଟେନରଟି ଅଧାପୋଡି ଯାଇଛି। ତେବେ ଏହି ସମୟର ସମସ୍ତ ଚିତ୍ର କାଉଣ୍ଟରରେ ଲାଗିଥିବା ସସିଟିଭି ଫୁଟେଜରେ ରେକର୍ଡ ହୋଇଯାଇଥିଲା। ନିଆଁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ କାଉଣ୍ଟର ମାଲିକ ସୁବାସଙ୍କୁ ଖବର ଦେଇଥିଲେ। ତେବେ ସୁବାସ ପହଞ୍ଚିଲା ବେଳକୁ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ସୁବାସ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବସ୍ତା ଥାନାଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.