ଯାଜପୁର: ମୋବାଇଲ ଲୁଟ କରି କୁଆଖିଆ ପୋଲିସକୁ ଚକମା ଦେଖାଇ ଖସିଯିବା ଘଟଣା, ୩ଲୁଟେରା ଗିରଫ, ବାଇକ ସହ ଟଙ୍କା ଜବତ

ଯାଜପୁର (କେନ୍ୟୁଜ): ମୋବାଇଲ ଲୁଟ କରି ପୋଲିସକୁ ଚକମା ଦେଖାଇ ଖସି ଯାଇଥିବା ୩ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି କୁଆଖିଆ ପୋଲିସ। ଲୁଟେରାମାନେ ବ୍ରହ୍ମବରଦା ଅଂଚଳର ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସେମାନଙ୍କ ନିକଟରୁ ୨ଟି ବାଇକ ଓ ନଗଦ ୭ହଜାର ଟଙ୍କା ଜବତ କରିଛି। ଗତ ୨୨ତାରିଖରେ କୁଆଖିଆ ପୋଲିସ ମୁଗୁପାଳ ଛକ ନିକଟରୁ ପାଖାପାଖି ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ ଜବତ କରିଥିଲା। ଜବତ ମଧ୍ୟରେ ୪୯ଟି ଦାମୀ ଆଣ୍ଡ୍ରଏଡ଼ ମୋବାଇଲ ଫୋନ ସହ ବିଭିନ୍ନ ସାମଗ୍ରୀ ରହିଥିଲା। ରାତିରେ ପୋଲିସ ପାଟ୍ରୋଲିଂ ସମୟରେ କୁଆଖିଆ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏହି ସାମଗ୍ରୀ ଲୁଟ କରି ଖସି ଯାଉଥିବା ସମୟରେ ଦୁର୍ବୁତ୍ତମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ।

mobile loot

ଅନ୍ଧାରର ସୁଯୋଗ ନେଇ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଦୁର୍ବୁତ୍ତ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ତେବେ ସେଠାରୁ ଲୁଟ ସାମଗ୍ରୀକୁ ଉଦ୍ଧାର କରିଥିଲା ପୋଲିସ। ଏ ସମ୍ପର୍କରେ ବ୍ୟବସାୟୀ ଜଣକ ପରଦିନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଥିଲା। ସାଇବର ସେଲ ଜରିଆରେ ପୋଲିସ ଏହି ୩ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.