ସମାନ କାମକୁ ମିଳୁନି ସମାନ ଦରମା, ମୋହନା ହିଲ୍ ଟପ୍ ମହାବିଦ୍ୟାଳୟ ବେତନ ବୃଦ୍ଧି ଦାବି ଧାରଣାରେ କର୍ମଚାରୀ

ମୋହନା(କେନ୍ୟୁଜ୍): ବେତନ ବୃଦ୍ଧି ଦାବିରେ ଗଜପତି ଜ଼ିଲ୍ଲା ମୋହନା ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ୮ ଜଣ କର୍ମଚାରୀ ଆଜି ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ୮ରେ ବସିଛନ୍ତି । ସୂଚନା ଯୋଗ୍ୟ ଯେ ଉକ୍ତ କର୍ମଚାରୀ ମାନେ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଦୀର୍ଘ ୧୦ ବର୍ଷ ଧରି ନିଯୁକ୍ତ ହୋଇଛନ୍ତି । ଏହାସହ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ବାରମ୍ବାର ଦାବି ସତ୍ୱେ କର୍ମଚାରୀ ମାନଙ୍କ ବେତନ ବୃଦ୍ଧି ହୋଇପାରିନାହିଁ । ଫଳରେ ସ୍ୱଳ୍ପ ବେତନରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ବେତନ ମିଳୁଥିବା ବେଳେ ସମାନ କାର୍ଯ୍ୟକାରୀ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ କର୍ମଚାରୀ ମାନେ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ତଥା ବେତନ ପାଇବାରୁ ବଞ୍ଚିତ ହେଉଛନ୍ତି ।
୨୦୧୭ରେ ବର୍ଦ୍ଧିତ ବେତନ ଭାବରେ କର୍ମଚାରୀ ମାନେ ବର୍ତ୍ତମାନ ୧୦ ହଜାର ଟଙ୍କାରୁ କମ ବେତନ ପାଉଛନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କ ବେତନ ବୃଦ୍ଧି କରାନଯାଏ ସେପର୍ଯ୍ୟନ୍ତ ମହାବିଦ୍ୟାଳୟ ସମ୍ମୁଖରେ ସେମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବେ ବୋଲି କର୍ମଚାରୀ ମାନେ ସୂଚନା ଦେଇଛନ୍ତି। ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କୁ ପଚାରିବାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଗଜପତି ଉପ ଜ଼ିଲ୍ଲାପାଳଙ୍କୁ ଅବଗତି କରାଇ ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ମହାବିଦ୍ୟାଳୟରେ ବର୍ତ୍ତମାନ ୫୧୬ ଛାତ୍ର ଛାତ୍ରୀ ଅଧ୍ୟୟନରତ ଥିବା ବେଳେ କର୍ମଚାରୀ ମାନଙ୍କ କାର୍ଯ୍ୟରେ ଅସହଯୋଗ ମହାବିଦ୍ୟାଳୟ ପରିଚାଳନାରେ ବାଧା ସୃଷ୍ଟି କରିଛି। ଅତିଶୀଘ୍ର କର୍ମଚାରୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।