ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ: ଆଜି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।

ଆଜି ପାଇଁ ବିଜୁଳି ସହ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି ।

୧୨ ତାରିଖରେ କୁଆପଥର ସହ ବର୍ଷା ନେଇ ୧୦ଟି ଜିଲ୍ଲା, ୧୩ ତାରିଖରେ ୧୨ଟି ଓ ୧୪ ତାରିଖରେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷିପାରେ । ୧୫ ତାରିଖରୁ କମିବ ବର୍ଷାର ପରିମାଣ । ବର୍ଷା ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି।