ଓମିକ୍ରନ୍ର ଚିକିତ୍ସା ପାଇଁ ‘ମୋଲନୁପିରାଭିର’ କୌଣସି ଯାଦୁକରୀ ଔଷଧ ନୁହେଁ, ହାଲ୍କା ଲକ୍ଷଣ ଥିଲେ ଘରେ କରିପାରିବେ ଚିକିତ୍ସା: ଏମ୍ସ ଡାକ୍ତର

କୋଭିଡ୍-୧୯ ରୋଗ ପାଇଁ ଆଣ୍ଟି ଭାଇରାଲ ‘ମୋଲନୁପିରାଭିର’ କୌଣସି ଯାଦୁକରୀ ଔଷଧ ନୁହେଁ। ଲୋକଙ୍କୁ ପରାମର୍ଶ ଦେବା ଅବସରରେ ଏଭଳି କହିଛନ୍ତି ଏମ୍ସ ଡାକ୍ତର। କରୋନା ଭାଇରସ୍ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ଯୋଗୁ ବଢ଼ୁଥିବା ମାମଲାକୁ ଦେଖି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଡାକ୍ତର କହିଛନ୍ତି, କରୋନାର ଏବେ ହାଲ୍କା ଲକ୍ଷଣ ପ୍ରକାଶ ପାଇଛି, ଯାହାର ଚିକିତ୍ସା ଘରେ ହିଁ ସମ୍ଭବ। ଏଥିସହ ସେ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ଲାଗି ମୋଲନୁପିରାଭିର କୌଣସି ଯାଦୁକରୀ ଔଷଧ ନୁହେଁ।
ଏମ୍ସ ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡା.ନୀରଜ ନିଶ୍ଚଳ କହିଛନ୍ତି, ଏବେ ଯାଏଁ କୋଭିଡ୍-୧୯ର ଉପଚାର ପାଇଁ କୌଣସି ଔଷଧ ଉପଲବ୍ଧ ନାହିଁ। ସେ କହିଛନ୍ତି, ରୋଗୀଙ୍କ ଉପରେ ଦୃଷ୍ଟି ରଖିବା ସବୁଠୁ ଅଧିକ ଜରୁରୀ। ଖାସ୍ କରି ଅଧିକ ସିରିୟସ୍ ଯଥା- ବୃଦ୍ଧ ଲୋକ ଯିଏ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ଥିବେ କିମ୍ବା ଯେଉଁମାନେ ଟିକା ନେଇ ନାହାନ୍ତି। ସେମାନଙ୍କ ଉପରେ ଅଧିକ ଦୃଷ୍ଟି ରଖିବା ଆବଶ୍ୟକ।
ନୀରଜ କହିଛନ୍ତି, ମହାମାରୀର ଅର୍ଥ ଏହା ନୁହେଁ ଯେ କେବଳ ଡାକ୍ତରଙ୍କ ଔଷଧରେ କିମ୍ବା କୌଣସି ନୂଆ ମେଡିସିନ୍ରେ ହିଁ ଆପଣ ଠିକ୍ ହୋଇପାରିବେ। କେବଳ ଧୈର୍ଯ୍ୟ, ସକାରାତ୍ମକ ବିଚାର ଓ ପାରାସିଟାମଲ୍ରେ ବି ଅଧିକ ରୋଗୀ ଠିକ୍ ହୋଇପାରିବେ।
ସେ କହିଛନ୍ତି, ମହାମାରୀର ତୃତୀୟ ଲହରୀ ବେଳେ ଅଧିକାଂଶ ସଂକ୍ରମିତ ଲୋକଙ୍କ ଠାରେ ହାଲ୍କା ସଂକ୍ରମଣ ଦେଖିବାକୁ ମିଳିଛି, ଯାହା ବିନା କୌଣସି ବିଶେଷ ଉପଚାରରେ ଘରେ ହିଁ ସମ୍ଭବ। କେନ୍ଦ୍ର ସରକାର ସୋମବାର କହିଛନ୍ତି, ଏହି ସମୟରେ ସାମ୍ନାକୁ ଆସୁଥିବା ୫-୧୦ ପ୍ରତିଶତ ସଂକ୍ରମିତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକତା ପଡ଼ିପାରେ।
ଏଥିସହ ସେ ଚେତାବନୀ ଦେଇଛନ୍ତି, ଏହି ସ୍ଥିତି ଖୁବ୍ ଦ୍ରୁତ ବେଗରେ ବଦଳି ବି ପାରେ। ଏଭଳି ସ୍ଥିତିରେ ସତର୍କ ରହିବା ନିହାତି ଆବଶ୍ୟକ। ତେବେ ମଞ୍ଜୁରୀ ମିଳିଥିବା ମୋଲନୁପିରାଭିର ବିଷୟରେ ଡା.ନିଶ୍ଚଳ କହିଛନ୍ତି, ଏହାକୁ ଯାଦୁକରୀ ଔଷଧ ବୋଲି ପ୍ରଚାର କରାଯାଉଛି। କିନ୍ତୁ ପ୍ରକୃତରେ ସେମିତି ନୁହେଁ। ସେ କହିଛନ୍ତି, ଲୋକମାନେ ମନେ ରଖିବା ଦରକାର ଯେ ଏହି ଔଷଧକୁ କେବଳ ସୀମିତ ମାତ୍ରାରେ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ଦିଆଯାଇଛି।