Below header

କଟକ ସହରର ବିକାଶ ପାଇଁ ଆଗେଇ ଚାଲିଛି ସିକ୍ସ ଲେନ ରିଂ ରୋଡ ନିର୍ମାଣ କାର୍ଯ୍ୟ, କଟା ଯାଉଛି ୨ ହଜାରରୁ ଅଧିକ ଗଛ

ବଳି ପଡିବ ଦୁଇ ହଜାରରୁ ଅଧିକ ଗଛ । ଚାଲିଯିବାକୁ ବସିଲାଣି ୩୫୦ ଜଣ ଲୋକଙ୍କର ଗୋଟିଏ ବର୍ଷର ଅମ୍ଳଜାନ। କଟକ ସହରର ବିକାଶ ପାଇଁ ଆଗେଇ ଚାଲିଛି ସିକ୍ସ ଲେନ ରିଂ ରୋଡ ନିର୍ମାଣ କାର୍ଯ୍ୟ । ମଧୁସୂଦନ ସେତୁରୁ ଚହଟା ଛକ ପର୍ଯ୍ୟନ୍ତ ଆଗେଇ ଚାଲିଛି କାମ ।

କଟକ(କେନ୍ୟୁଜ): ବଳି ପଡିବ ଦୁଇ ହଜାରରୁ ଅଧିକ ଗଛ । ଚାଲିଯିବାକୁ ବସିଲାଣି ୩୫୦ ଜଣ ଲୋକଙ୍କର ଗୋଟିଏ ବର୍ଷର ଅମ୍ଳଜାନ। କଟକ ସହରର ବିକାଶ ପାଇଁ ଆଗେଇ ଚାଲିଛି ସିକ୍ସ ଲେନ ରିଂ ରୋଡ ନିର୍ମାଣ କାର୍ଯ୍ୟ । ମଧୁସୂଦନ ସେତୁରୁ ଚହଟା ଛକ ପର୍ଯ୍ୟନ୍ତ ଆଗେଇ ଚାଲିଛି କାମ । ଯେଉଁଥି ପାଇଁ କଟା ଯାଉଛି ଦୁଇ ହଜାର ପାଖାପାଖି ଗଛ ।

ଗୋଟିଏ ସୁସ୍ଥ ମଣିଷ ବଞ୍ଚିବା ପାଇଁ ବର୍ଷକୁ ଦରକାର ପଡେ, ୭୫୦ କିଲୋଗ୍ରାମ ଅମ୍ଳଜାନ । ୭ରୁ ୮ଟି ଗଛ ଯୋଗାଇବାରେ ସକ୍ଷମ ହୋଇଥାନ୍ତି ଏହି ପରିମାଣର ଅମ୍ଳଜାନ । କେବଳ ସେତିକି ନୁହେଁ ବାୟୁମଣ୍ଡଳରେ ଘାତକ ଅଙ୍ଗାରକାମ୍ଳକୁ ମଧ୍ୟ ନିଜ ଭିତରକୁ ଟାଣିନିଏ ଗଛଟିଏ । ଗଛଟିଏ କାଟିବା ପୂର୍ବରୁ ରାସ୍ତା କଡରେ ସବୁଜ ବଳୟ କାହିଁକି ତିଆରି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଧୁ ଧୁ ଖରାବେଳେ ଯଦି ରାସ୍ତାରେ ପଥଚାରୀ ର କେହି ପ୍ରକୃତ ବନ୍ଧୁଟିଏ ଥାଏ, ତେବେ ସେ ହେଉଛି ବୃକ୍ଷ । ମୃତ୍ତିକା ସଂରକ୍ଷଣଠାରୁ ଆରମ୍ଭ କରି ପରିବେଶ ସନ୍ତୁଳନ ଦିଗରେ ଗଛଟିଏ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ବିକଳ୍ପ ପାଇଁ ବ୍ୟବସ୍ଥା ନ କରି ପ୍ରକଳ୍ପ କାମ ଆଗକୁ ବଢ଼ାଇବା ଗ୍ରହଣଯୋଗ୍ୟ ନୁହେଁ ବୋଲି ସହରବାସୀ ପ୍ରତିକ୍ରିୟା ରଖୁଛନ୍ତି ।

ତେବେ କଟକ ସହରରେ ସବୁଜ ବଳୟ ସୃଷ୍ଟି ପାଇଁ ଧ୍ୟାନ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଏ ଦିଗରେ ବନ ବିଭାଗ ସହିତ ଆଲୋଚନା କରିବେ ବୋଲି ରଖିଛନ୍ତି ପ୍ରତିକ୍ରିୟା । ଯେତିକି ଗଛ କଟା ଯାଉଛି ତାର ଦୁଇ ଗୁଣ ଗଛ ଆଗାମୀ ବର୍ଷାଋତୁ ପୂର୍ବରୁ ଲଗାଇବା ପାଇଁ ଯୋଜନା କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ପାଞ୍ଚ ହଜାର ପାଖାପାଖି ବୃକ୍ଷରୋପଣ କରିବାକୁ ଯୋଜନା କରୁଛି ବନ ବିଭାଗ । ଏହା ଛଡା ପାଞ୍ଚ ଶହ ପାଖାପାଖି ବଡ଼ ବଡ଼ ଗଛ ଗୁଡିକୁ ନକାଟି ସ୍ଥାନାନ୍ତର କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଗୋଟିଏ ଦୁଇଟି ନୁହେଁ, କଟା ଯାଉଛି ଦୁଇ ହଜାର ପାଖାପାଖି ଛୋଟ ବଡ଼ ଗଛ । ରିଂ ବନ୍ଧ ରାସ୍ତା ସଂପ୍ରସାରଣ ପାଇଁ ମଧୁସୂଦନ ସେତୁରୁ ଚହଟା ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ଗଛ କାଟିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ତେବେ କଟକ ସହର ବିଗତ କିଛି ବର୍ଷ ଭିତରେ ବିକାଶ କ୍ଷେତ୍ରରେ ବେଶ ଆଗକୁ ଯାଉଛି । ସହର ସୁନ୍ଦର ଦିଶିବା ଆରମ୍ଭ କରିଛି, ଲମ୍ବା ଚଉଡା ରାସ୍ତାଘାଟ ଗମନାଗମନକୁ ସୁଗମ କରୁଛି । ରାସ୍ତା ସମ୍ପ୍ରସାରଣ ନିଷ୍ପତ୍ତି ସ୍ୱାଗତଯୋଗ୍ୟ କିନ୍ତୁ, ସବୁଜ ବନାନୀ ଭିତରେ ଏସବୁ ଆହୁରି ସୁନ୍ଦର ଦିସନ୍ତା । ସହର ହସୁଥାନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.