କିସ୍‌ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମିଳିତ ଉଦ୍ୟମରେ ବହୁଭାଷୀ ଶିକ୍ଷା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର (କେନ୍ୟୁଜ୍) : କିସ୍‌ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମିଳିତ ଉଦ୍ୟମରେ ବହୁଭାଷୀ ଶିକ୍ଷା ପାଇଁ କାର୍ଯ୍ୟରତ ଭାଷା ଶିକ୍ଷକଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଲେ ଏଭଳି ପ୍ରଶିକ୍ଷଣ ଭାଷା ଶିକ୍ଷକଙ୍କ ନିମନ୍ତେ ଏକାନ୍ତ ଆବଶ୍ୟକ । ଛୋଟ ଶିଶୁ ପ୍ରଥମେ ସ୍କୁଲକୁ ଯିବା ସମୟରେ ତାର ନିଜ ମାତୃଭାଷା ସହିତ ବେଶି ପାରଙ୍ଗମ ହୋଇଥାଏ, ଭାଷା ଶିକ୍ଷକ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ସହ ତଦନୁସାରେ ଶିଶୁର ବୌଦ୍ଧିକ, ମାନସିକ ତଥା ପାରିପାର୍ଶ୍ୱିକ ଜ୍ଞାନ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏଭଳି ପ୍ରଶିକ୍ଷଣ ସେମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ସେ ମତ ଦେଇଥିଲେ ।

ଭାଷା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଜ ନିଜ ବିଦ୍ୟାଳୟରେ ଛୋଟ ଛୋଟ ଜନଜାତି ପିଲାଙ୍କୁ ପ୍ରଶିକ୍ଷଣ ଦେଇ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାରେ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏଭଳି ପ୍ରଶିକ୍ଷଣ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକତା ରହିଛି। ୨୧ ଦିନ ବିଶିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ୭ ଦିନରେ ଜ୍ଞାନ ଓ କୌଶଳ ଆହରଣ, ଦ୍ୱିତୀୟ ସୋପାନରେ ତାର ପ୍ରୟୋଗାତ୍ମକ ଶ୍ରେଣୀ ପରିଚାଳନା ଓ ତୃତୀୟ ସୋପାନରେ ଉକ୍ତ  ପ୍ରଶିକ୍ଷଣ ଦକ୍ଷତାକୁ ନିଜ ନିଜ ସ୍କୁଲରେ ପ୍ରୟୋଗ କରାଯିବ । ଶେଷରେ ଦକ୍ଷ ତଥା ଅଭିଜ୍ଞ ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ଦ୍ୱାରା ଏହାର ତଦାରଖ କରାଯିବ ବୋଲି ଶ୍ରୀମତି ଚୋପ୍ରା ସୂଚନା ଦେଇଥିଲେ ।

ଏହି ପ୍ରଶିକ୍ଷଣ ଭାଷା ଶିକ୍ଷକଙ୍କ ନିମନ୍ତେ ଅତ୍ୟନ୍ତ ଜରୁରୀ ଥିଲା ଓ ଆଜି ତାହା ସଫଳ ହୋଇପାରିଛି ବୋଲି ଭାଷା ବିଶାରଦ ତଥା ମାର୍ଗ ଦର୍ଶକ ଡ.ପରମାନନ୍ଦ ପଟେଲ ଓ ସୁଶ୍ରୀ ସଙ୍ଗିତା ମହାନ୍ତି କହିଛନ୍ତି । ଏହି ପ୍ରଶିକ୍ଷଣରୁ ଭାଷା ଶିକ୍ଷକମାନେ ନିଶ୍ଚୟ ଉପକୃତ ହେବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ । କିସ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ଯୋଗୁ ବିଭିନ୍ନ ଶିକ୍ଷଣୀୟ ପୁସ୍ତିକା ପ୍ରସ୍ତୁତ ହୋଇପାରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

 

Leave A Reply

Your email address will not be published.