ମୟୂରଭଞ୍ଜ ନୂଆଗାଁ ଅଞ୍ଚଳରେ ଦୁଇ ଜଣଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ: ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ, ଜଣେ ସଙ୍କଟାପନ୍ନ

ବାଲେଶ୍ୱର: ପୂର୍ବ ଶତ୍ରୁତାରୁ ବର୍ବରୋଚିତ ମରଣାନ୍ତକ ଆକ୍ରମଣ। ଦୁଇଜଣଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଲୋମହର୍ଷକ ଆକ୍ରମଣ ଘଟିଛି ବାଲେଶ୍ୱର ଜିଲ୍ଲା ସୀମାନ୍ତ ମୟୂରଭଞ୍ଜର ବୈଶିଙ୍ଗା ଥାନା ନୂଆଗାଁ ଅଞ୍ଚଳରେ। ରାଧାକୃଷ୍ଣ ବାରିକ ଓ ଶରତ ବାରିକ ଦୁଇଜଣ ଗାଁ ମୁଣ୍ଡ ମଦ ଦୋକାନକୁ ଯାଇଥିବାବଳେ ସେଠାରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଖବର ପାଇ ଗାଁ ଲୋକ ସେଠାରେ ପହଞ୍ଚିବା ବେଳେକୁ ପୋଖରୀ ଭିତରେ ରାଧାକୃଷ୍ଣ ମୁହଁ ମାଡ଼ ପଡ଼ିଥିବା ବେଳେ ଶରତ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ରୁପ୍‌ସା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ରାଧାକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ। ଶରତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଜଣାପଡ଼ିନଥିବା ପୂର୍ବ ଶତ୍ରୁତା ସନ୍ଦେହ କରି ବୈଶିଙ୍ଗା ଥାନା ପୋଲିସ ତଦନ୍ତ ଜାରି ରଖିଛି। ଆକ୍ରମଣ ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.