ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା, ହୋମ୍‌ ଆଇସୋଲେସନ୍‌ରେ ଥିବା ନେଇ ଦେଲେ ସୂଚନା

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ହୋଇଥିବା ନେଇ ଜାଣିବା ପରେ ମନ୍ତ୍ରୀ ଏବେ ଘରେ ଆଇସୋଲେସନ୍‌ରେ ଅଛନ୍ତି। ଗତ କାଲି ସେ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଥିଲା। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ସଂକ୍ରମିତ ହୋଇଥିବା ନେଇ ମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଟ୍ଵିଟ୍‌ କରି ଲେଖିଛନ୍ତି, ଗତ କାଲି ମୁଁ ବିନା କୌଣସି ଲକ୍ଷଣ ଥିବା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ଏବେ ମୁଁ ହୋମ୍‌ ଆଇସୋଲେସନ୍‌ରେ ଅଛି। ଏଣୁ ଗତ ୩ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥବା ଲୋକଙ୍କୁ ମୁଁ ଟେଷ୍ଟ କରାଇବାକୁ ପରାମର୍ଶ ଦେଉଛି।

ପ୍ରକାଶ ଯେ ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍‌ ବାହାରିଛନ୍ତି।