ପର କରିଦେଲା ପରିବାର, ଘର ବାରଣ୍ଡାରେ ପଡ଼ିଥିବା ଅସହାୟ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଗାଁ ଲୋକେ

ମାହାଙ୍ଗା (କେ ନ୍ୟୁଜ୍‌) : ନିଜ ପରିବାର ଥାଇ ବି ସେ ନିରାଶ୍ରୟା । ଦଶ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଲେ । ତାର ସୁରକ୍ଷା ପାଇଁ ଛାଇ ଭଳି ଜଗି ରହିଲେ । ହେଲେ ସେଇ ପୁଅ ଓ ଘରକୁ ଆଣିଥିବା ବୋହୂ ତାଙ୍କୁ ପର କରିଦେଲେ । ଏମିତି ବାସ୍ତବ କାହାଣୀ ଆମ ସମାଜରେ କିଛି ନୂଆ ନୁହେଁ । ଏମିତି ଏକ ସଦ୍ୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ l ମାହାଙ୍ଗା ଅନ୍ତର୍ଗତ ଗୋତରା ଗାଁ’ର ବିଧବା ବୃଦ୍ଧା ମେନକା ଷଡଙ୍ଗୀ । ବୟସ ୭୫ ହେଲାଣି । ଦୀର୍ଘ ବର୍ଷ ଧରି ସେ ନିର୍ଯାତନା ପାଉଛନ୍ତି । ପୁଅ ବୋହୂ ପଚାରୁ ନାହାନ୍ତି । ଅସହାୟ ମହିଳା ଜଣକ ଖରା, ବର୍ଷା, ଶୀତ ସବୁ ଦିନେ ତାଙ୍କ ନିଜ ଘର ବାରଣ୍ଡାକୁ ଆଶ୍ରା କରିଥାନ୍ତି । ଗାଁ ଲୋକ କିଏ କେତେବେଳେ କିଛି ଦେଲେ ସେଇଆକୁ ଖାଇ ଦିନଟି ଚଳାଇ ଦିଅନ୍ତି ।
ତେବେ ଏହି ବୟସ୍କ ମହିଳାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ତ ଚାହିଁଲେ ନାହିଁ ଓଲଟି ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କାରାଇଥିଲେ l ହେଲେ ମେଡିକାଲରେ ତାଙ୍କୁ ଜଗିବାକୁ କି ତାଙ୍କ କଥା ବୁଝିବାକୁ କେହି ନଥିଲେ । ଏହି ଖବର ଜାଣିବା ପରେ କେ ନ୍ୟୁଜ୍‌ ରିପୋର୍ଟର ଅର୍ଜୁନ ସାହୁ ତାଙ୍କୁ ସହାୟତାର ହାତ ବଢାଇଛନ୍ତି l

ପରିବାରରେ ହୁଏତ କିଛି ସମସ୍ୟା ଥାଇ ପାରେ, ସଂପୃକ୍ତ ମହିଳାଙ୍କର ମଧ୍ୟ କିଛି ଅସୁବିଧା ଥାଇ ପାରେ ହେଲେ ଜନ୍ମକଲା ମା’କୁ ଏଭଳି ବ୍ୟବହାର କରୁଥିବା ପୁଅକୁ କଣ କହିବା ? ଧର୍ମ ସହିବ ତ ? ଯଦି ତାଙ୍କ ପିଲା କାଲି ତାଙ୍କୁ ସେହିଭଳି ହତାଦର କରେ, ତେବେ କଣ ହେବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.