Below header

ଜଣେ ଲୋକ ପକେଟରେ ବିଜେପି ! ନିର୍ଦ୍ଦିଷ୍ଟ ବ୍ୟକ୍ତି କଥା କହି ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍ କଲେ ସୁବାସ ଚୌହ୍ଵାନ

ବର୍ଷ ବର୍ଷ କାମ କରିବା ପରେ ଦଳରୁ ମିଳିଲା ଅପମାନ

ଭୁବନେଶ୍ବର : କୋହ ସମ୍ଭାଳି ପାରିଲେନି ସୁବାସ। ବର୍ଷ ବର୍ଷ ଧରି ଯେଉଁ ବିଜେପି ପାଇଁ କାମ କଲେ, ସେ ଦଳରୁ ମିଳିଲା ଅପମାନ। ବାଧ୍ୟ ହୋଇ ଦଳ ଛାଡିଲେ। କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୂଲ୍ୟ ବୁଝିଲେନି। ତାଙ୍କୁ ଅଣ ଦେଖା କରାଗଲା। ପାର୍ଟିରୁ ବାହାରିବା ପାଇଁ ଷଡ଼ଯନ୍ତ୍ର ହେଲା। ଟିକଟ କାଟିବା ସହ ଅପମାନ କରାଗଲା। ପାର୍ଟି ଏକ ନିର୍ଦ୍ଧିଷ୍ଟ ଲୋକର ଜାଗିର ଅଟେ। ନିର୍ଦ୍ଧିଷ୍ଟ ଲୋକକୁ ସୁରକ୍ଷା ଦେବାକୁ ସଂଘ ପରିବାରକୁ ଉପେକ୍ଷା କରାଯାଉଛି। ଏଭଳି ପରିସ୍ଥିତିରେ ବିଜେପିରେ ରହି କାମ କରି ହେବ ନାହିଁ। ଏହା କହି ସୁବାସ ଚୌହ୍ଵାନ ଇସ୍ତଫା ଦେଇଛନ୍ତି ।

ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି କଥା କହି ସେ ସିଧାସିଧା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଅଙ୍ଗଳି ଉଠାଇଥିଲେ ସୁବାସ। ସେପଟେ ଏ ପ୍ରକାର ବିବୃତ୍ତିକୁ ଦୁର୍ଭାଗ୍ୟ ଜନକ ବୋଲି କହିଛି ବିଜେପି। ଦଳର ସ୍ୱାର୍ଥ ନୁହଁ ବ୍ୟକ୍ତିଗତ ସ୍ୱାର୍ଥ ଲାଗି ଏପରି ବିବୃତ୍ତି ବୋଲି ଦଳ କହିଛି।

୨୦୧୪ ବରଗଡ଼ ଲୋକସଭା ଆସନରୁ ଲଢିଥିଲେ ସୁବାସ ଚୌହ୍ଵାନ। ସେତେବେଳେ ବିଜେଡିର ପ୍ରଭାସ ସିଂହ ୩ ଲକ୍ଷ ୮୩ ହଜାର ଭୋଟ ପାଇଥିଲେ। ସୁବାସ ଚୌହ୍ଵାନଙ୍କୁ ମିଳିଥିଲା ୩ ଲକ୍ଷ ୭୨ ହଜାର ଭୋଟ୍‌। ଅର୍ଥାତ ମାତ୍ର ୧୧ ହଜାର ଭୋଟ୍‌ରେ ହାରିଥିଲେ ସୁବାସ। ୨୦୧୯ରେ ସମସ୍ତେ ନିଶ୍ଚିତ ଥିଲେ ଏଥର ସୁବାସ ପୁଣି ବରଗଡ଼ରୁ ପ୍ରାର୍ଥୀ ହେବେ। କିନ୍ତୁ ଶେଷ ମୂହୁର୍ତ୍ତରେ ଟିକେଟ୍‌ କଟିଲା। ବରଗଡ଼ ପ୍ରାର୍ଥୀ ହେଲେ ସୁରେଶ ପୂଜାରୀ। ସୁରେଶ ଦୁଇ ଥର ସମ୍ବଲପୁର ଲୋକସଭା ଓ ତିନିଥର ବ୍ରଜରାଜନଗରରୁ ନିର୍ବାଚନ ହାରିଛନ୍ତି। ସୁବାସଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରିବା ଅନେକଙ୍କୁ ଆଶ୍ଚର‌୍ୟ୍ୟ କରିଥିଲା। ବରଗଡ଼ ଲୋକସଭା ବଦଳରେ ସୁବାସଙ୍କୁ ଦଳ ବିଜେପୁର ପ୍ରାର୍ଥୀ ହେବାକୁ କୁହାଗଲା। କିନ୍ତୁ ବିଜେପୁରରେ ମୁଖ୍ୟମନ୍ତ୍ରୀ ଲଢୁଥିବାରୁ ଧର୍ମେନ୍ଦ୍ରଙ୍କ ପରି ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ ସୁବାସ। ଗତକାଲି ସୁବାସ ଅସନ୍ତୋଷ ପ୍ରକାଶ କରିଥିଲେ, ଆଜି ଦଳ ଛାଡିଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.