ଗୋଟିଏ ଫ୍ରେମରେ ଦୁଇ ପ୍ରତିଦ୍ବନ୍ଦ୍ବୀ : ହସଖୁସିରେ ଏକାଠି ବସି କଥା ହେଲେ ଜୁଏଲ୍‌ ଓ ସୁନୀତା

ଗୋଟିଏ ଫ୍ରେମରେ ଜୁଏଲ ଓରାମ ଓ ସୁନୀତା ବିଶ୍ୱାଳ । ବିଜେପି ପ୍ରାର୍ଥୀ ଜୁଏଲଙ୍କ ପାଖ ଚେୟାରରେ ବିଜେଡି ପ୍ରାର୍ଥିନୀ ସୁନୀତା । ଜୁଏଲ ଓରାମଙ୍କ ପାଖ ଚେୟାରରେ ଅନ୍ୟ ଜଣେ ଲୋକ ବସିଥିଲେ । ତାଙ୍କୁ ଉଠାଇ ସୁନିତାଙ୍କୁ ବସିବାକୁ କହିଥିଲେ ଜୁଏଲ । ଉଭୟଙ୍କ ମଧ୍ୟରେ ହସଖୁସି କଥାବର୍ତ୍ତା । ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଜୁଏଲ ଓ ସୁନୀତା ଆସିଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନର ଶେଷଦିନରେ ଆଜି ଜୁଏଲ ଓ ସୁନୀତା ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସେହିପରି ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥି ଯୋଗେଶ ସିଂ ମନୋନୟନ ପତ୍ର ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ କୁସୁମ ଟେଟେ ମଧ୍ୟ ଦାଖଲ କରିଛନ୍ତି ନାମାଙ୍କନ । ତଳସରା ଆସନ ପାଇଁ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରେନ, କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝି ନିଜ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି ।

କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥି ଖାରବେଳ ସ୍ୱାଇଁ। ଖାରବେଳଙ୍କ ପ୍ରାଥ୍ଵର୍ୀତ୍ୱକୁ କନ୍ଧମାଳର ଦଳୀୟ କର୍ମୀ ଓ ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ତୀବ୍ର ବିରୋଧ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା । ସେହିପରି କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ର ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ନିରଞ୍ଜନ ପୂଜାରୀ, ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀ, କଂଗ୍ରେସର ଚିତ୍ତ ରଂଜନ ମିଶ୍ର ରିଟର୍ଣ୍ଣିଂ ଅଫିସର ତଥା ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନରେ ଗଂଜାମ ଜିଲ୍ଲା ଭଂଜନଗର ଉପଜିଲ୍ଲାପାଳଙ୍କ ଅଫିସରେ ଭଂଜନଗର, ଆସିକା ଓ ସୋରଡ଼ା ବିଧାନସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ ଦାଖଲ କରିଛନ୍ତି ମନୋନୟନ ପତ୍ର । କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ନିଜର ସମର୍ଥକଙ୍କ ସହ ଆସି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଛନ୍ତି । ବଲାଙ୍ଗୀର ବିଧାନସଭା ଆସନ ପାଇଁ ଏୟୁ ସିଂହଦେଓଙ୍କ ସାନପୁଅ ଅର୍କେଶ ନାରାୟଣ ସିଂହଦେଓ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ବରଗଡ଼ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ଦେବତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅତାବିରା ଆସନ ପାଇଁ କଂଗ୍ରେସର ନିହାର ରଂଜନ ମହାନନ୍ଦ, ବରଗଡ଼ ଆସନ ପାଇଁ ନିପନ ଦାସ, ଭଟଲି ପାଇଁ ସରୋଜ ମହାପାତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି ମନୋୟନ ପତ୍ର । ସେହିପରି ବରଗଡ଼ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେବେଶ ଆଚାର‌୍ୟ୍ୟ ସମର୍ଥକଙ୍କ ସହ ଆସି ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.