ସାଇକ୍ଲୋନ୍ ନେଇ କୌଣସି ପୂର୍ବାନୁମାନ କରାଯାଇନି, ଗୁଜବ ଉପରେ ବିଶ୍ବାସ ନକରିବାକୁ ଆଇଏମଡି ଡିଜିଙ୍କ ପରାମର୍ଶ

ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପରେ ପରିଣତ ହେବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ । ଏହାର ପ୍ରକୃତ ରୂପରେଖ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ । ଏବେଠାରୁ ବାତ୍ୟା ଆକଳନ କରିବା ମୁସ୍କିଲ ।

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ସୂଚନା ନାହିଁ । ସାଇକ୍ଲୋନ୍ ନେଇ କୌଣସି ପୂର୍ବାନୁମାନ କରାଯାଇନି । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବାତ୍ୟା ନେଇ ଏଯାଏ କୌଣସି ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ଅନୁଧ୍ୟାନରୁ ଜଣାପଡ଼ିଛି ଚଳିତ ମାସ ଶେଷ ସପ୍ତାହ ଆଡକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପରେ ପରିଣତ ହେବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ । ଏହାର ପ୍ରକୃତ ରୂପରେଖ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ । ଏବେଠାରୁ ବାତ୍ୟା ଆକଳନ କରିବା ମୁସ୍କିଲ । ଗୁଜବ ଉପରେ ବିଶ୍ବାସ ନକରିବାକୁ କହିଛନ୍ତି ଆଇଏମଡି ଡିଜି ।

ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ଯାଏ ମୌସୁମୀ ପରବର୍ତ୍ତୀକାଳୀନ ବାତ୍ୟା ଋତୁ ବୋଲି କୁହାଯାଏ । ଏହି ସମୟରେ ମୌସୁମୀ ଫେରିଯାଏ । ପୂର୍ବରୁ ଏହି ସମୟରେ ଅନେକ ବାତ୍ୟା ସୃଷ୍ଟିର ନଜିର ରହିଛି । ସେଥିରୁ କିଛି ଓଡ଼ିଶାରେ ପ୍ରଭାବ ପକାଇଛି । ତେଣୁ ଅକ୍ଟୋବରରେ ବାତ୍ୟା ଆସିଲେ ଛନକା ପଶୁଛି ।

ପାଣିପାଗ ବିଭାଗ କହିଛି, ଆସନ୍ତା ୨୫ ତାରିଖ ବେଳକୁ ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ରାଜସ୍ଥାନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ବ୍ୟୁରୋ ହେଡ୍ ଆଶୁତୋଷ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.