ଓମିକ୍ରନ୍‌ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ସମସ୍ତଙ୍କ ମନରେ ଦୁଃଖ

ପୁରୀ(କେନ୍ଯୁଜ୍): ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ ଲାଗିଛି କଟକଣା। ଗତ ଦୁଇବର୍ଷ ପରି ଫିକା ଫିକା ହେବାକୁ ଯାଉଛି ପୁରୁଣା ବର୍ଷର ଶେଷ ଓ ନୂଆ ବର୍ଷର ପ୍ରଥମ ଦିନ। ଅତ୍ୟଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧, ଜାନୁଆରୀ ୧ଓ ୨ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ଛତିଶା ଓ ପରିଚାଳନା କମିଟି ବୈଠକରେ ଯଥେଷ୍ଟ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏହିବର୍ଷ ପାଇଁ ଗୁରୁବାର ଶେଷ ଦର୍ଶନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ଯାୟ ଟୀକାକରଣ ରିପୋର୍ଟ ମଧ୍ୟରୁ ଯେକୌଣସି ଗୋଟିଏ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ଯ ଏହି ବର୍ଷର ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନରେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୩୧ ଓ ଜାନୁଆରୀ ୧ ସହ ୨ ତାରିଖ ରବିବାର ଥିବାରୁ ଲଗାତାର ୩ ଦିନ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ।

ଓମିକ୍ରନ ଭୂତାଣୁ ପାଇଁ ସଜାଗ ପୁରୀ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପଯ୍ୟର୍ଟକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି। ହୋଟେଲ ମାନଙ୍କରେ କୋଭିଡ ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍‌ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ରୁ ୨ ପଯ୍ୟର୍ନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ହୋଟେଲ ମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରସନ ଉପରେ ରୋକ ଲଗାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ପ୍ରଥମେ ଫନି ବାତ୍ୟା,ପରେ ପରେ କରୋନା ଓ ଏଣେ ଅଣ୍ଟା ସଳଖି ଛିଡା ହେବା ସମୟରେ ଓମିକ୍ରନ ଭୂତାଣୁ ପାଇଁ ଏଭଳି କଟକଣା ଯୋଗୁଁ ପୁରୀରେ ହୋଟେଲ ଓ ପର୍ଯ୍ଯଟନ ଶିଳ୍ପ ପ୍ରଭାବିତ ହୋଇଥିବା ହୋଟେଲ ମାଲିକ କହିଛନ୍ତି। ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପୂର୍ବରୁ ପ୍ଲାନ କରି ପୁରୀ ଆସିଥିବା ପଯ୍ୟର୍ଟକଙ୍କୁ ନିରାଶ ହେବାକୁ ପଡିଛି। ଶ୍ରୀମନ୍ଦିର ବନ୍ଦ ସହ ହୋଟେଲ ମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରସନ ଉପରେ ରୋକ,ବାହାରେ ଭୋଜିଭାତ ବାରଣ ସବୁ ଆଶାକୁ ଫସର ଫଠାଇଛି।

ତେବେ ସମୁଦ୍ରରେ ସ୍ନାନ କରି ହୋଟେଲରେ ନିଜ ପରିବାର ଓ ବନ୍ଧୁଙ୍କ ସହ ନୂଆବର୍ଷ ପାଳନ କରିବେ ବୋଲି ପଯ୍ୟର୍ଟକ କହିଛନ୍ତି।
ସମସ୍ତଙ୍କର ସେହି ଗୋଟିଏ ପ୍ରାର୍ଥନା। ଖୁବଶୀଘ୍ର ବିଶ୍ୱ କରୋନା ମୁକ୍ତ ହେଉ। ଜୀବନ ଥିଲେ ଆସନ୍ତା ବର୍ଷ ଧୁମଧାମରେ ମସ୍ତି ଓ ମନୋରଞ୍ଜନ କରାଯାଇପାରିବ।