ଦୁଷ୍ମନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇନଥିଲା, ସରକାରଙ୍କ ନିକଟରେ ଦାଖଲ ହେଲା ତଦନ୍ତ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ପରେ ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କର ପୂର୍ବରୁ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିଲା । ଠିକ୍‌ ସମୟରେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଚିକିତ୍ସା ଥିଲା ସମ୍ପୂର୍ଣ୍ଣ ମାଗଣା । ଚିକିତ୍ସାରେ ଅବହେଳା ନେଇ ଆସିଥିବା ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ ହୋଇଛି । ଯେଉଁଥିରେ ଏସସିବି ମେଡିକାଲ କଲେଜର ୭ ଜଣ ବରିଷ୍ଠ ପ୍ରଫେସରଙ୍କେ ଦସ୍ତଖତ ରହିଛି । ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି, ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରେ ଦୁଷ୍ମନ୍ତଙ୍କର ଦୁର୍ଘଟଣା ହୋଇଥିଲା । ୨୩ ତାରିଖରେ ସେ ଏସସିବିରେ ଭର୍ତ୍ତି ହୋଇଥିଲେ । ବାମ ଆଣ୍ଠୁରେ ହୋଇଥିଲା ଗଭୀର କ୍ଷତ । ଦୁଷ୍ମନ୍ତଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ରେଫର୍‌ କରାଯାଇଥିଲା । ଆହତ ହେବାର ୧୨ ଘଣ୍ଟା ପରେ ସେ ଆସିଥିଲେ ଏସସିବି। ଯାହାକି ତାଙ୍କ ଶରୀରର କ୍ଷତ ଅଙ୍ଗକୁ ଚିକିତ୍ସା କରିବାରେ ବହୁ ବିଳମ୍ବ ହୋଇଥିଲା । ତଥାପି ୮ ଘଣ୍ଟା ଧରି ଦୁଷ୍ମନ୍ତଙ୍କ ଅସ୍ତ୍ରୋପଚାର କରିଥିଲେ ପ୍ଲାଷ୍ଟିକ ସର୍ଜରୀ ଓ ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଟିମ୍‌ । ଦୁଇଟି ଅପରେସନ୍‌ କରିଥିଲେ । ଏପ୍ରିଲ ୩ ତାରିଖରେ ଦୁଷ୍ମନ୍ତଙ୍କ ପାଖରେ ମାନସିକ ସମସ୍ୟା ଦେଖାଦେବାରୁ ଏସସିବି ମାନସିକ ରୋଗ ବିଭାଗ ମୁଖ୍ୟଙ୍କ ସହ ପରାମର୍ଶ କରାଯାଇଥିଲା ।

dushmanta 1

ଗତବର୍ଷ ଜୁଲାଇ ୧୫ ତାରିଖରେ ଏସସିବିରୁ ଡିସଚାର୍ଜ ହୋଇଥିଲେ ଦୁଷ୍ମନ୍ତ । ଏହାପରେ କିଛି ସମସ୍ୟା ଦେଖାଦେବାରୁ ଚଳିତବର୍ଷ ଏପ୍ରିଲ ୧୪ ତାରିଖରେ ସେ ପୁଣି ଥରେ ଅସ୍ଥିଶଲ୍ୟ ବିଭାଗରେ ଆଡମିଶନ ହୋଇଥିଲେ । ଏଠାରେ ଚିକିତ୍ସା ବେଳେ ଡାକ୍ତରୀ ଟିମ୍‌ ତାଙ୍କୁ ତିନିଟି ପ୍ଲାନ୍‌ ବାବଦରେ କହିଥିଲେ । ପ୍ରଥମଟି ଥିଲା ସେହି ଗୋଡ଼ର କ୍ଷତ ଜାଗାକୁ କାଟିବାକୁ ପଡ଼ିବ । ଦ୍ୱିତୀୟଟି ଥିଲା ବଳାଗଣ୍ଠିର ନର୍ଭକୁ ଯୋଡ଼ିବା । ତୃତୀୟଟି ଥିଲା ଫିଜିଓ ଥେରାପୀ ସହ ଅର୍ଥୋପେଡିକ୍‌ ଚିକିତ୍ସାରେ ବ୍ୟବହୃତ ଯୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ମାଗଣାରେ ସବୁ ଚିକିତ୍ସା ଯୋଗାଇବାକୁ ବ୍ୟବସ୍ଥା କରାଯାଇଥିଲେ ବି ଦୁଷ୍ମନ୍ତ ଏଥିରେ ରାଜି ହୋଇ ନଥିଲେ । ପରେ କୋଭିଡ୍‌ ସଂକ୍ରମଣ ବଢିବାରୁ ତାଙ୍କୁ ମେ ୧୯ରେ ଡାସଚାର୍ଜ କରାଯାଇଥିଲା । ପରେ ସେପ୍ଟେମ୍ବର ୨ ତାରିଖରେ ଦୁଷ୍ମନ୍ତ ଓ ପରିବାରର ସହମତିରେ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଥିଲା ।

ଗତକାଲି ସେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଷ ପିଇବା ସହ ହାତ କାଟି ଦେଇଥିଲେ ଦୁଷ୍ମନ୍ତ । ପରେ ଏସସିବିରେ ତାଙ୍କର ଦେହାନ୍ତ ହୋଇଥିଲା । ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିବା କହିଥିବା ବେଳେ ତାଙ୍କର ଏମିତି କ୍ଷତ ହୋଇଥିଲା ଯେ ତାହା ସ୍ୱାଭାବିକ ହୋଇଯିବ ସମ୍ଭାବନା ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.