ରାଷ୍ଟ୍ରୀୟ ମର୍ଯାଦାରେ ସମ୍ପନ୍ନ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

କଟକ(କେ ନ୍ୟୁଜ): ରାଷ୍ଟ୍ରୀୟ ମର୍ଯାଦାରେ ସମ୍ପନ୍ନ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ । ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ କରାଯିବ ବୋଲି ଜଣାଯାଇଛି ।

ଗତକାଲି ସନ୍ଧ୍ୟାରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା । କଟକ ଏସସିବିରେ ଚିକିତ୍ସାଧୀନ ସମୟରେ ତାଙ୍କ ଦେହାନ୍ତ ହୋଇଥିଲା । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟମାନେ ଶୋକବ୍ୟକ୍ତ କରିଛନ୍ତି । ୮୭ ବର୍ଷ ବୟସରେ ମନୋରମା ମହାପାତ୍ରଙ୍କ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଦୈନିକ ସମାଜର ପୂର୍ବତନ ସଂପାଦିକା ଥିଲେ ମନୋରମା ମହାପାତ୍ର । ୧୯୮୪ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ଏହାସହ କାଦମ୍ବିନୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ମନୋରମା । ମନୋରମା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିଲେ । ବିଶେଷ କରି ସେ ନାରୀ ଅଧିକାର, ନାରୀ ସଚେତନତା ଦିଗରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ମନୋରମାଙ୍କ ବିୟୋଗରେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ

ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଲେଖନୀ ଚାଳନା ପାଇଁ ସେ ସବୁଦିନେ ମନେ ରହିବେ। ଗଣମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ମୋଦି ଟ୍ଵିଟ୍‌ କରି କହିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।