ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ । ମୁଖ୍ୟ ସଚିବ, SRC ଓ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ସମୀକ୍ଷା ବୈଠକରେ ସାମିଲ ଥିଲେ । ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।

ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.