ନିଆରା ପ୍ରେମ କାହାଣୀ: ହ୍ୱିଲ ଚେୟାରରେ ପ୍ରେମିକ ତଥାପି ବଦଳିଲାନି ପ୍ରେମିକା, ସାରା ଜୀବନ ପାଇଁ ଧରିଲା ହାତ

ଦୁର୍ଘଟଣା ସିନା ବସନ୍ତଙ୍କ ଜୀବନକୁ ବଦଳାଇ ଦେଲା କିନ୍ତୁ ଏତେ ସବୁ ପରେ ବି ବଦଳି ନଥିଲେ ପ୍ରେମିକା ବିଦୁସ୍ମିତା । ବସନ୍ତର ଏ ଅବସ୍ଥା ପରେ ବି ବିଦୁସ୍ମିତା ନିଜ ପ୍ରେମକୁ ଅତୁଟ ରଖିଥିଲେ । ବିଦୁସ୍ମିତାଙ୍କ ପ୍ରେମ ଆଗରେ ହାର ମାନିଛି ବସନ୍ତର ଅକ୍ଷମତା ।

ସୋର(କେନ୍ୟୁଜ): ହାତରେ ମେହେନ୍ଦି ପାଦରେ ଅଳତା ଲଗାଇ ବଧୂ ସାଜିଛି ପ୍ରେମିକା । ସେ ଜାଣିନି ସେ ଦେଖିଥିବା ଅସୁମାରୀ ସ୍ୱପ୍ନ ପୂରଣ ହେବ କି ନାହିଁ । ତଥାପି ମନର ବିଶ୍ଵାସ ତାର ଆକାଶ ଛୁଇଁଛି । ସେ ଜାଣିଛି ବାଛି ନେଇଥିବା ଏଇ ଜୀବନ ପଥ ଏତେ ସହଜ ନୁହେଁ ତା ପାଇଁ ତଥାପି ସାହାସର ସହ ଆଗେଇ ଚାଲିଛି ସେହି ପଥରେ ।

ହ୍ୱିଲ ଚେୟାରରେ ପ୍ରେମିକ ତଥାପି ଭାଙ୍ଗିନାହିଁ ପ୍ରେମ । ପରସ୍ପରକୁ ଭଲ ପାଇବା ,ପରେ ଭୁଲି ଯାଉଥିବା ପୁଅ ଝିଅଙ୍କ ପାଇଁ ଏହି କାହାଣୀ ପାଲଟିଛି ଉଦାହରଣ । ଅତୁଟ ଏ ପ୍ରେମର କାହାଣୀ । ପ୍ରେମ ଆଗରେ ହାର ମାନିନି ଶାରୀରିକ ଅକ୍ଷମତା । ସତରେ ଏ ଯୁଗର ସେମାନେ ହେଉଛନ୍ତି ଲୈଲା ମଜନୁ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡେରେଇ ପଞ୍ଚାୟତ ସେରପୁର ଅଞ୍ଚଳରେ ଏ ନିଆରା ପ୍ରେମ କାହାଣୀ ଏବେ ଚର୍ଚ୍ଚା ପାଲଟିଛି। ହ୍ୱିଲ ଚେୟାରରେ ଚାଲିଛି ବିବାହ । ଦେବ ମନ୍ତ୍ର ଉଚ୍ଚାରଣ କରି ଏହି ପ୍ରେମୀ ଯୁଗଳଙ୍କୁ ଆଶୀର୍ବାଦ ଅଜାଡି ଦେଉଛନ୍ତି ପୁରୋହିତ । ଆଉ ଏହି ଶୁଭ ଅବସରରେ ଏକାଠି ହୋଇଛନ୍ତି ପରିବାର ଲୋକଙ୍କ ସହ ବନ୍ଧୁ ବାନ୍ଧବ ।

ହ୍ୱିଲ ଚେୟାରରେ ବର ସାଜିଥିବା ଏହି ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡେରେଇ ପଞ୍ଚାୟତ ସେରପୁର ଅଞ୍ଚଳର ପୀତାମ୍ବର ପାଣିଗ୍ରାହୀଙ୍କ ପୁଅ ବସନ୍ତ ପାଣିଗ୍ରାହୀ । ବସନ୍ତ ୨୦୧୬ ମସିହାରୁ ତିହିଡି ବ୍ଲକ ତଳବନ୍ଧ ଗ୍ରାମର ମାୟାଧର ଲେଙ୍କାଙ୍କ ଝିଅ ବିଦୁସ୍ମିତାଙ୍କୁ ଭଲ ପାଉଥିଲେ । ଭାରି ନିବିଡ ଥିବା ଉଭୟଙ୍କ ପ୍ରେମ । ହେଲେ ଏସବୁ ଭିତରେ ବସନ୍ତଙ୍କ ଜୀବନରେ ହଠାତ୍ ମାଡି ଆସିଲା ଦୁଃଖର କଳା ବାଦଲ । ୨୦୨୧ ମସିହାରେ ବସନ୍ତ ଭଦ୍ରକ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀ ଗଡ଼ିଆ ଛକଠାରେ ଘଟିଲା ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ସେବେଠାରୁ ଦୀର୍ଘ ୩ବର୍ଷ ଧରି ଚିକିତ୍ସା ହୋଇ ଶଯ୍ୟାଶାୟୀ ଥିଲେ ବସନ୍ତ । ତାଙ୍କର ଅଣ୍ଟା ଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଚଳ ହୋଇ ଯାଇଛି । ଯାହାଫଳରେ ବର୍ତ୍ତମାନ ଏଇ ହ୍ୱିଲ ଚେୟାର ହିଁ ତାଙ୍କ ପାଇଁ ସାହାରା ପାଲଟିଛି ।

marry

ତେବେ ଦୁର୍ଘଟଣା ସିନା ବସନ୍ତଙ୍କ ଜୀବନକୁ ବଦଳାଇ ଦେଲା କିନ୍ତୁ ଏତେ ସବୁ ପରେ ବି ବଦଳି ନଥିଲେ ପ୍ରେମିକା ବିଦୁସ୍ମିତା । ବସନ୍ତଙ୍କର ଏ ଅବସ୍ଥା ପରେ ବି ବିଦୁସ୍ମିତାଙ୍କ ପ୍ରେମ ଅତୁଟ ରହିଥିଲା । ବିଦୁସ୍ମିତାଙ୍କ ପ୍ରେମ ବଢ଼ାଇ ଦେଇଛି ବସନ୍ତଙ୍କ ଆତ୍ମବିଶ୍ବାସ । ସେ ନିଜ ପରିବାରର ସମସ୍ତଙ୍କ କଥାକୁ ପ୍ରତ୍ୟାଖାନ କରି ଶେଷରେ ବସନ୍ତଙ୍କ ହାତ ଧରିଛନ୍ତି । ଶେଷରେ ସେମାନେ ମଧ୍ୟ ବିଦୁସ୍ମିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଉଭୟଙ୍କ ରୀତିନୀତିର ବିବାହ ସମ୍ପନ୍ନ କରିଛନ୍ତି ଉଭୟ ପରିବାର । ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତ ମା ତାରିଣୀ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି । ବିଦୁସ୍ମିତାଙ୍କ ଦୃଢ଼ ବିଶ୍ବାସ ରହିଛି ନିଜ ପ୍ରେମ ଉପରେ । ବସନ୍ତଙ୍କୁ ନିଶ୍ଚିତ ଛିଡ଼ା କରି ଦୁଇ ଗୋଡ଼ରେ ଚଲେଇବେ ବୋଲି କହିଛନ୍ତି ବିଦୁସ୍ମିତା ।

କିଏ ପ୍ରେମରେ ତାର ସ୍ୱାର୍ଥ ଦେଖିଲାଣି ତ ଆଉ କିଏ ପ୍ରେମରେ ପ୍ରତିଶୋଧ ନେଲାଣି । କିନ୍ତୁ ପ୍ରକୃତ ପ୍ରେମ ୟାକୁ ହିଁ କୁହନ୍ତି । ଯେଉଁଠି ରହିଛି ଅଶେଷ ଭଲ ପାଇବା ଓ ତ୍ୟାଗ । ଏମିତି ଏକ ନିଚ୍ଛକ ପ୍ରେମ କାହାଣୀ ବିରଳ ନିଶ୍ଚୟ। ଯାହାକୁ ଦେଖି ଆପଣ ବି କହିବେ ହଁ ହଁ ଇଏ ହିଁ ପ୍ରକୃତ ପ୍ରେମ । ଆଜିର ଯୁବ ସମାଜ ପାଇଁ ଇଏ ତ ଏକ ବଡ଼ ଉଦାହରଣ । ସମସ୍ତଙ୍କୁ ସେଇ ଗୋଟିଏ ପ୍ରଶ୍ନ…ଯଦି ବିବାହ ପରେ ଏଇ ଦୁର୍ଘଟଣା ଘଟିଥାନ୍ତା ? ତାହାହେଲେ କଣ କେହି କାହାକୁ ଛାଡ଼ି ପାରିଥାନ୍ତେ ? ତେବେ ବିବାହ ପୂର୍ବରୁ ବସନ୍ତଙ୍କ ଦୁର୍ଘଟଣା କିନ୍ତୁ ବିଦୁସ୍ମିତାଙ୍କ ମନ ବଦଳାଇ ପାରିନାହିଁ । ସେ ସାହାରା ପାଲଟିଛନ୍ତି ବସନ୍ତଙ୍କର । ତାଙ୍କର ଅମର ପ୍ରେମ ଏବଂ ତ୍ୟାଗକୁ କେନ୍ୟୁଜ୍ ପ୍ରଣାମ କରୁଛି । ଏହି ବିବାହ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.