୬ ଅଧିକାରୀଙ୍କୁ ଦୁର୍ନୀତି ଓ ଅପରାଗତା ପାଇଁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା । ଦୁର୍ନୀତି ଓ ଅପରାଗତା ଯୋଗୁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ୪ ଇଞ୍ଜିନିୟର ଓ ୨ ଅବକାରୀ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଏମାନେ ହେଲେ କେନ୍ଦୁଝର RWD ର ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ଦୁଇଟି ଭିଜିିଲାନ୍‌ସ କେସ୍‌ ରହିଛି । ସେ ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି ।

କଟକ ଆର ଆଣ୍ଡ ବି ଡିଭିଜନ୍‌ର କ୍ୱାଲିଟି କଣ୍ଟ୍ରୋଲ ବିଭାଗର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ତାଙ୍କ ବିରୋଧରେ ଭିଜିଲାନ୍‌ସ କେସ୍‌ ରହିଛି । ମୟୂରଭଞ୍ଜ କରଞ୍ଜିଆର ରୁରାଲ ଓ୍ଵାର୍କସ୍‌ ସେକ୍ସନ୍‌ ୧ ର ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ବିରୋଧରେ ମଧ୍ୟ ଭିଜିଲାନ୍‌ସ କେସ୍‌ ରହିଛି । ମରାମତି କାମ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି ।

ସେହିଭଳି ଭୁବନେଶ୍ୱର ଆର ଆଣ୍ଡ ବି ଡିଜିନ୍‌ ନମ୍ବର ୨ ର ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯୋଗକୁ ଭିତ୍ତିକରି ୬ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ସମ୍ବଲପୁର ଓଡ଼ିଶା ପାନୀୟ ନିଗର ଡିପୋର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଡେପୁଟି ସୁପରିଣ୍ଡେଣ୍ଟେଣ୍ଟ ଅଫ୍‌ ଏକ୍ସାଇଜ୍‌ ଜୟଦୀପ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ସରକାରୀ ଶାଳୀନତା ଓ ସୌଜନ୍ୟତାର ବିରୁଦ୍ଧାଚରଣ କରୁଥିଲା । ଦାୟିତ୍ୱରେ ଅବହେଳା ସହ ସରକାରୀ ସଂପତ୍ତିର କୁପରିଚାଳନା ଏବଂ ଅଫିସ ସମୟରେ ମଦ୍ୟପାନ ଆଦି ଅଭିଯୋଗ ରହିଛି ତାଙ୍କ ବିରୋଧରେ। ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନ୍ୟଜଣେ ହେଉଛନ୍ତି ଅବକାରୀ ନିରୀକ୍ଷକ ରିହାଜ୍‌ ଅହମ୍ମଦ ବେଗ୍‌ । ତାଙ୍‌କ ଚାକିରିକାଳ ମଧ୍ୟ ପାଞ୍ଚଥର ନିଲମ୍ବିତ ହୋଇଛନ୍ତି । ଅପାରଗତା, ନିଷ୍ଠାହୀନତା ଓ ଦାୟିତ୍ୱହୀନ ବ୍ୟବହାର ଅଭିଯୋଗ ଥିଲା । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.