ମାସ୍କ କିଣାରେ କୌଣସି ଅନିୟମିତତା ହୋଇନାହିଁ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ୟୁଜ୍ (ବ୍ୟୁରୋ): ମାସ୍କ କିଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମାସ୍କ, ପିପିଇ କିଟ୍ କିମ୍ବା ସାନିଟାଇଜର ଇତ୍ୟାଦି କିଣାରେ କୌଣସି ଦୁର୍ନୀତି ବା ଅନିୟମିତତା ହୋଇନାହିଁ । କେନ୍ଦ୍ରର ନିର୍ଦ୍ଦେଶ ଓ ଗାଇଡଲାଇନ ଅନୁସାରେ ମାସ୍କ କିଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ। ଯେଉଁ ଅଭିଯୋଗ ଆସିଛି ତା’ର ତଦନ୍ତ ଲାଗି ସରକାର ପ୍ରସ୍ତୁତ ଅଛନ୍ତି।

ମାସ୍କ କିଣିବା ନେଇ ୨୪ ମାର୍ଚ୍ଚରେ କେନ୍ଦ୍ରର ନିର୍ଦ୍ଦେଶ ଆସିଥିଲା । ପ୍ରଥମେ ୧୦ଟଙ୍କାରେ ମାସ୍କ କିଣିବାକୁ କେନ୍ଦ୍ରର ନିର୍ଦ୍ଦେଶ ଥିଲା । ପରେ ୧୬ ଟଙ୍କାରେ ମାସ୍କ କିଣିବାକୁ ନିର୍ଦ୍ଦେଶ ଆସିଲା । ସେହି ଅନୁସାରେ ମାସ୍କ କିଣାଯାଇଥିଲା । ହେମନ୍ତ ଶର୍ମାଙ୍କୁ ମାସ୍କ କିଣିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ସେ ଗାଇଡଲାଇନ ଅନୁସାରେ ମାସ୍କ କିଣିଛନ୍ତି । ମାସ୍କ କିଣାରେ ସେ କୌଣସି ଅନିୟମିତତା କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ କୌଣସି ପ୍ରଶୟ ଦିଅନ୍ତି ନାହିଁ । କୋଭିଡ ଯୋଦ୍ଧାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣି ସେମାନଙ୍କୁ ନିରୁତ୍ସାହିତ କରନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣିବା ପାଇଁ ସରକାର ଯେଉଁ କମିଟି ଗଠନ କରିଥିଲେ, ସେଥିରୁ ବରିଷ୍ଠ ଆଇଏଏସ୍ ଅଫିସର ତଥା ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ହଟାଇ ଥିଲେ । ଗତ ଜୁନ୍ ୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଥିଲେ ହେଁ, ପ୍ରସଙ୍ଗଟି ସାମ୍ନାକୁ ଆସିପାରିନଥିଲା। ତେବେ ଗତକାଲି ଏହି ଖବର ଜଣାପଡ଼ିବା ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବିରୋଧୀ ଦଳ ପକ୍ଷରୁ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.