ହେଲମେଟ ଚୋରି ଘଟଣାର କାହିଁକି ରଖିଲନାହିଁ ଏଫଆଇଆର? କଟକ ଡିସିପିଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ହାଇକୋର୍ଟ ବାର ଆସୋସିଏସନ ଭିତରୁ ଜଣେ ଯୁବ ଆଇନଜୀବୀଙ୍କ ହେଲମେଟ ଚୋରୀ ହେବା ଘଟଣାରେ ଲାଲବାଗ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରେ ଏ ନେଇ ଆଇନଜୀବୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି କଟକ ଡ଼ିସିପିଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ସିସିଟିଭିରେ ଜଣେ ବ୍ୟକ୍ତି ହେଲମେଟ ଚୋରି କରି ନେଉଥିବାର ଚିତ୍ର କଏଦ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ନାହିଁ।
ହାଇକୋର୍ଟ ପରିସରରେ ହାଇକୋର୍ଟ ବାର ଆସୋସିଏସନ ହଲ ଭିତରେ ପଶି ଦୁବୃତ୍ତ ଜଣକ ହେଲମେଟ ଚୋରି କରିବା ନିଶ୍ଚୟ ଆଶ୍ଚର୍ଯ୍ୟର ବିଷୟ। ଚୋରି ଛୋଟ ହେଉ କି ବଡ଼ ହେଉ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ସମାନ। ଗତ ଡିସେମ୍ବର ୧୫ ତାରିଖରେ ଏହି ଚୋରୀ ଘଟଣା ଘଟିଥିବା ବେଳେ ଡିସେମ୍ବର ୨୧ ରେ ଲାଲବାଗ ଥାନା ଓ ଡିସେମ୍ବର ୨୨ ରେ କଟକ ଡ଼ିସିପିଙ୍କୁ ଜଣାଇଥିଲେ ଆଇନଜୀବୀ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଥିଲେ। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ଜବାବ ଦାଖଲ କରିବାକୁ କଟକ ଡ଼ିସିପିଙ୍କୁ ନିର୍ଦ୍ଦେଶ ରହିଛି।