ମା’ର ୨ ହଜାର ଟଙ୍କାକୁ ତିନି ବର୍ଷରେ ୨୫ ଲକ୍ଷ କଲେ ଓଡିଆ ଯୁବକ, ଜାଣନ୍ତୁ କେମିତି

ମାହାଙ୍ଗା (କେନ୍ୟୁଜ) : ମାତ୍ର ତିନି ବର୍ଷରେ ଦୁଇ ହଜାର ଟଙ୍କାର ବ୍ୟବସାୟ ପହଞ୍ଚିଛି ୨୫ ଲକ୍ଷ ଟଙ୍କାରେ । ବିଶ୍ୱାସ ହେଉନି ନା ? ହେଲେ ଇଏ ଏକଦମ ସତ କଥା । ଯାହା ସମ୍ଭବ କରି ଦେଖାଇଛନ୍ତି ଜଣେ ଓଡ଼ିଆ ପୁଅ । ବୟସ ବି ଏତେ କମ୍‌ ଯେ ଆପଣ ଆଶ୍ଚର୍ଯ୍ୟ ହେବେ କେମିତି ଏଭଳି କରି ପାରିଲା ଜଣେ ଯୁବକ ? ନିଜ ଗୋଡ଼ରେ ଛିଡ଼ା ହେବା ସହ ପରିବାରକୁ ସ୍ୱଚ୍ଛଳ କରିବା ଥିଲା ତାଙ୍କର ଲକ୍ଷ୍ୟ । ଆଉ ସେହି ଲକ୍ଷ୍ୟରେ ସେ ଏମିତି ମାତିଗଲେ ଯେ ତାଙ୍କ ନିଷ୍ଠା ଦେଖି ଭାଗ୍ୟ ବି ତାଙ୍କର ସାଥ୍‌ ଦେଲା । ଆଉ ଦିନେ ବେଲୁନ୍‌ ସଜାଉଥିବା ପିଲାଟି ଅନ୍ୟଙ୍କୁ ଚାକିରି ଦେଇ ପେଟ ପୋଷିବାକୁ ସକ୍ଷମ ହେଲା ।

କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ନଡ଼ିଆ ସାହସପୁର ଗାଁର ହେମନ୍ତ ଦାସ । ସମସ୍ତେ ଡାକନ୍ତି ହିମାଂଶୁ ବୋଲି । ତାଙ୍କ ସଫଳତାର କାହାଣୀ ଯେତିକି ଆଶ୍ଚର୍ଯ୍ୟକର ସେତିକି ପ୍ରେରଣାଦାୟୀ । ଏବେ ସେ ଜଣେ ୨୨ ବର୍ଷର ଶିକ୍ଷିତ ଯୁବକ ଏବଂ ସେ ସାତ ଆଠ ଜଣ ପିଲାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ହିମାଂଶୁଙ୍କ ବାପା ନବୀନ ଚରଣ ଦାସ ସାଇକେଲରେ ମୁଢ଼ି ବସ୍ତା ବାନ୍ଧି ଗାଁ ଗାଁ ବୁଲି ବିକ୍ରି କରୁଥିଲେ । ସେଇ ରୋଜଗାରରେ ଚଳୁଥିଲା ପାଞ୍ଚ ପ୍ରାଣୀ କୁଟୁମ୍ବ । ପତ୍ନୀଙ୍କ ସହ ତିନି ପିଲା । ହିମାଂଶୁ ଏବଂ ଦୁଇ ଝିଅ । ବହୁ କଷ୍ଟରେ ଚଳୁଥିଲା ପରିବାର । ହିମାଂଶୁଙ୍କୁ ଯେତେବେଳେ ୧୫ ବର୍ଷ ସେ ପିଲା ଥିଲେ ବି ଅନୁଭବ କରି ପାରୁଥିଲେ ବାପାଙ୍କ କଷ୍ଟ । ବୁଝି ପାରୁଥିଲେ ଘରର ଖରାପ ଆର୍ଥିକ ପରିସ୍ଥିତି । ତେଣୁ ମନରେ ଭାବୁଥିଲେ କିଭଳି ଭାବେ ବାପାଙ୍କ ବୋଝ ହାଲକା କରିବେ। ଏମିତି ଦିନ ଗଡ଼ି ଚାଲିଲା।

himanshu5୨୦୧୭ ମସିହା ଫେବ୍ରୁଆରୀ ୧୭ ତାରିଖ । ଏହି ତାରିଖକୁ ଭଲ ଭାବେ ମନେ ରଖିଛନ୍ତି ହିମାଂଶୁ । ମା’ ବିଜୟଲକ୍ଷ୍ମୀଙ୍କ ଠାରୁ ଦୁଇ ହଜାର ଟଙ୍କା ଆଣିଲେ । ସେଥିରେ ଆରମ୍ଭ କଲେ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମରେ ବେଲୁନ୍‌ ସଜାଇବା କାମ । ନିଷ୍ଠାର ସହ କାମ କରି ଚାଲିଲେ ଓ ଲାଭ ବି ପାଇଲେ । ତାକୁ ସଞ୍ଚୟ କରି ସେହି ଟଙ୍କାରେ ଆରମ୍ଭ କଲେ ଷ୍ଟୁଡିଓ । ବିବାହ, ବ୍ରତ, ବିଭିନ୍ନ କାର୍ଯ୍ୟକ୍ରମର ଭିଡିଓ ସୁଟିଂ ଓ ଏଡିଟିଂ ଆଦି କଲେ । ଇଭେଣ୍ଟ ମ୍ୟାନେଜମେଣ୍ଟରେ ମଧ୍ୟ ସଫଳ ହେଲେ । ବେପାର ଭଲ ଚାଲିଲା ଏବଂ ନିଜର ବ୍ୟବସାୟକୁ ଆହୁରି ବଡ଼ କଲେ ହିମାଂଶୁ ।

himanshu6ଏବେ ତାଙ୍କ ପରିବାର ବେଶ୍‌ ସ୍ୱଚ୍ଛଳ । ନିଜ ବାପା ମା’ଙ୍କ ଯତ୍ନ ନେବା ସହିତ ଦୁଇ ଭଉଣୀଙ୍କ ପଢ଼ା ଖର୍ଚ୍ଚ ବି ଉଠାଉଛନ୍ତି । ଆଗକୁ ସେମାନଙ୍କ ବାହାଘର କରାଇ ଭାଇର ଦାୟିତ୍ୱ ପୂର୍ଣ୍ଣ କରିବେ । ଏସବୁ ଭିତରେ ଗ୍ରାଜୁଏସନ୍‌ ଓ ଇଞ୍ଜିନିୟରିଂ ପାଠ ମଧ୍ୟ ଶେଷ କରିଛନ୍ତି ସେ । ପୁଣି ଜଣେ ଭଲ କଳାକାର ହେଉଛନ୍ତି ଏହି ଯୁବକ । ଯଦିଓ ଲକ୍‌ଡାଉନ୍‌ ଯୋଗୁଁ ଏବେ ଅନ୍ୟ କ୍ଷେତ୍ର ଭଳି ତାଙ୍କ ବ୍ୟବସାୟ ମଧ୍ୟ ମାନ୍ଦା । ତଥାପି ସେ ଆଶା ରଖିଛନ୍ତି ଏହି ଦୁର୍ଦ୍ଦିନ ଖୁବ୍‌ ଶୀଘ୍ର ଦୂରେଇ ଯିବ । ପୁଣି ହସି ଉଠିବ ସାରା ସଂସାର । ହେଲେ ହିମାଂଶୁ ଓରଫ ହେମନ୍ତଙ୍କ ସଫଳତା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ବଡ଼ ଉଦାହରଣ । କାରଣ ସେ ଆରମ୍ଭ କରିଥିବା କାମକୁ ଛୋଟ ଭାବି ନଥିଲେ । ସେଥିପାଇଁ ଆଜି ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି ସ୍ୱତନ୍ତ୍ର ପରିଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.