ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା: ଗୁଣିଗାରେଡି ଓ ତନ୍ତ୍ର ସାଧନାରେ ଶିକାର ହେଉଥିଲେ 112କୁ କରନ୍ତୁ ଯୋଗାଯୋଗ
ଓଡ଼ିଶା ପୋଲିସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଗୁଣିଗାରେଡି ଏବଂ ତନ୍ତ୍ର ସାଧନା ସମ୍ପୂର୍ଣ୍ଣ ଅନ୍ଧ ବିଶ୍ୱାସ ଅଟେ । କୌଣସି ବ୍ୟକ୍ତିବିଶେଷଙ୍କୁ ସନ୍ଦେହ କରି ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦେବା ଭଳି ଘୃଣ୍ୟ କାମରୁ ନିଜକୁ ନିବୃତ୍ତ ରଖନ୍ତୁ।
ଭୁବନେଶ୍ୱର (କେନ୍ୟୁଜ): ଦେଶ ସ୍ବାଧୀନ ହେଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେଲା । ତଥାପି ଅନ୍ଧବିଶ୍ବାସ ଭଳି ପ୍ରଥା ଏବେ ବି ଲୋକଙ୍କ ମନରୁ ଯାଇନି। ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଏବେ ବି ବହୁ ମାତ୍ରାରେ ଚାଲିଛି ଗୁଣି ଗାରେଡି। ଲୋକମାନେ ଗୁଣିଗାରେଡିକୁ ବିଶ୍ବାସକୁ ନେଉଛନ୍ତି। କାହାର ଦେହ ଖରାପ ହେଲେ ତାକୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଉଛନ୍ତି। ଏଥିରେ ଲୋକ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ରାଜ୍ୟର କେତେକ ଜିଲ୍ଲାରେ ଗୁଣିଗାରେଡିକୁ ବିଶ୍ବାସ କରି ଶିଶୁଙ୍କୁ ଚେଙ୍କ ଦେବାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଫଳରେ ଭାଇଚାରା, ସାମାଜିକ ଚଳଣି, ଆର୍ଥିକ ସମସ୍ୟା ଓ ଧନଜୀବନ ପ୍ରଭାବିତ ହେବା ନିତିଦିନିଆ ଘଟଣା ପାଲଟିଛି।
ଏହି କୁସଂସ୍କାର, ଅନ୍ଧବିଶ୍ବାସକୁ ପ୍ରତିହତ କରି ସମାଜରେ ଏକ ସୁସ୍ଥ ବାତାବରଣ ବଜାୟ ରଖିବା ସକାଶେ ଓଡିଶା ପୋଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଛି । ଓଡିଶା ପୋଲିସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଗୁଣିଗାରେଡି ଏବଂ ତନ୍ତ୍ର ସାଧନା ସମ୍ପୂର୍ଣ୍ଣ ଅନ୍ଧ ବିଶ୍ୱାସ ଅଟେ । କୌଣସି ବ୍ୟକ୍ତିବିଶେଷଙ୍କୁ ସନ୍ଦେହ କରି ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦେବା ଭଳି ଘୃଣ୍ୟ କାମରୁ ନିଜକୁ ନିବୃତ୍ତ ରଖନ୍ତୁ । ଯଦି କେହି ଏଭଳି ନିର୍ଯାତନାର ଶିକାର ହେଉଛନ୍ତି ତେବେ ନିକଟସ୍ଥ ଥାନା କିମ୍ବା 112କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ ।